ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠ ଓ ନେପାଳ ସରକାରଙ୍କ ମଧ୍ୟରେ ଜମି କିଣାକୁ ନେଇ ଡିଲ୍ ହୋଇଥିଲା । ଏବେ ଏହି ଡିଲରେ ଦୁର୍ନୀତି ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି କାରଣରୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନିଜର ସାଂସଦ ପଦ ହରାଇବାକୁ ପଡିଛି । ନେପାଳର ଦୁର୍ନୀତି ନିରୋଧୀ ଏଜେନ୍ସି ସିଆଇଏଏ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ତତା ସିପିଏନ ୟୁନିଫାଇଡ ସୋସିଆଲିଷ୍ଟ ପାର୍ଟିର ଅଧ୍ୟକ୍ଷ ମାଧବ କୁମାରଙ୍କ ବିରୋଧରେ ଜମି ଦୁର୍ନୀତି ଅଭିଯୋଗରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି ।
କାଠମାଣ୍ଡୁରୁ ପ୍ରାୟ ୪୦ କିଲୋମିଟର ଦୂର କାଭ୍ରେ ଜିଲ୍ଲାରେ ପତଞ୍ଜଳି ଯୋଗ ପୀଠ ଦ୍ୱାରା ୩୨ ହେକ୍ଟର ଜମି କିଣା ଯାଇଛି । ଏଥିରେ ହିଁ ଦୁର୍ନୀତି ହୋଇଥିବା ଜଣାପଡିଛି । ଏହି ଜମିକୁ ଯୋଗ କେନ୍ଦ୍ର ଓ ହର୍ବାଲ ଚାଷ ଉଦ୍ଦେଶ୍ୟରେ କିଣା ଯାଇଥିଲା । ମାତ୍ର ସିଆଇଏଏ ଅନୁସାରେ ମାଧବ ନେପାଳଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ ବୈଠକରେ ଭୂମି ଅଧିନିୟମରେ କୋହଳ କରି ପତଞ୍ଜଳିକୁ ଜମି ମଞ୍ଜୁରୀ ଦିଆଯାଇଥିଲା । ଦୁଇ ମାସ ପରେ ଆଉ ଏକ ନିଷ୍ପତ୍ତି କ୍ରମେ ଉକ୍ତ ଜମିକୁ ବ୍ୟବସାୟିକ ଉପଯୋଗ ପାଇଁ ମଧ୍ୟ ଖୋଲି ଦିଆଗଲା ।
ସିଆଇଏଏ ନିଜ ତଦନ୍ତରେ କହିଛି ଯେ, ଏଥିରେ ସରକାରୀ ନୀତିର ଦୁରୁପଯୋଗ କରାଯାଇଛି । ଏପରିକି ନେପାଳ ସରକାରଙ୍କ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୧୧.୬ କୋଟି ଟଙ୍କାର କ୍ଷତି ଘଟିଛି । ଏହି କ୍ଷତିର ଭରଣା ପାଇଁ ମାଧବ ନେପାଳଙ୍କଠୁ ଅର୍ଥ ଆଦାୟ ପାଇଁ ସୁପାରିଶ କରାଯାଇଛି । ଏହି କେସରେ ମୋଟ୍ ୯୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏଥିରେ ପୂର୍ବତନ ଆଇନ ମନ୍ତ୍ରୀ ପ୍ରେମ ବାହାଦୂର ସିଂ, ପୂର୍ବତନ ଭୂମି ସୁଧାର ମନ୍ତ୍ରୀ ଦମ୍ବର ଶ୍ରେଷ୍ଠ, ପୂର୍ବତନ ମୁଖ୍ୟ ସଚିବ ମାଧବ ପ୍ରସାଦ ଘିମିରେ ଓ ପତଞ୍ଜଳି ନେପାଳର ନିର୍ଦ୍ଦେଶକ ସଲିଗ୍ରାମ ସିଂଙ୍କ ନାଁ ସାମିଲ । କିନ୍ତୁ ପତଞ୍ଜଳି ପ୍ରମୁଖ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁ ଅଭିଯୋଗ ଫର୍ଦ୍ଦରେ ନାହିଁ ।
ନେପାଳର ଆଇନ ଅନୁସାରେ, ଯଦି କୌଣସି ବି ସାର୍ବଜନୀନ ପଦରେ ଅଧିଷ୍ଠିତ ବ୍ୟକ୍ତି ବିରୋଧରେ ଦୁର୍ନୀତିର ଅଭିଯୋଗ ହୁଏ ତେବେ ତାଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରାଯାଏ । ଏହି କାରଣରୁ ମାଧବ ନେପାଳଙ୍କ ସାଂସଦ ସଦସ୍ୟତା ସ୍ୱତଃ ପ୍ରବୃତ ଭାବେ ସମାପ୍ତ ହୋଇ ଯାଇଛି । ମାମଲା ଉପରେ ମାଧବ କହିଛନ୍ତି ଯେ, ମୁଁ କୌଣସି ଭୁଲ୍ କରି ନାହିଁ । ମୁଁ ଆଇନ ପ୍ରକ୍ରିୟାର ସାମ୍ନା କରିବାକୁ ପ୍ରସ୍ତୁତ । ଏହା ସବୁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ରାଜନୈତିକ ଷଡଯନ୍ତ୍ର । ସେ ମୋତେ ସଂପୂର୍ଣ୍ଣ ଭାବେ ସମାପ୍ତ କରିବାକୁ ଚାହାନ୍ତି ବୋଲି ମାଧବ ନେପାଳ କହିଛନ୍ତି ।