ଭୁବନେଶ୍ୱର : ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ସୁବିଧା ରହିବ। ୧୦୮ ଆମ୍ବୁଲାନ୍ସ ସେବାଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ମୃତଦେହକୁ ଘର କିମ୍ବା ଶ୍ମଶାନ ଯାଏ ନେବାକୁ ଏହା କାମ କରିବ। ବିଶେଷକରି ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଲେ ମୃତଦେହକୁ ନେବାକୁ ଏହା କାମ କରିବ।
ସୂଚନା ଅନୁଯାୟୀ ଆଜି (ବୁଧବାର) ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ପ୍ରାରମ୍ଭିକ ଆଲୋଚନା ହୋଇଛି। ବୈଠକର ପ୍ରାରମ୍ଭିକ ଭାବେ ହୋଇଥିବା ଆଲୋଚନା ଅନୁସାରେ, ଅନ୍ୟ ରାଜ୍ୟରେ ଥିବା ଶବ ପରିବହନ ବ୍ୟବସ୍ଥା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି । ସେହିପରି ଏବେ ରାଜ୍ୟରେ କେଉଁ ଜିଲ୍ଲାର ହସ୍ପିଟାଲରେ ବାର୍ଷିକ କେତେ ଲୋକଙ୍କ ମୃତ୍ୟୁ ହେଉଛି, ସେହି ହିସାବରେ କେତେ ଶବ ପରିବହନ ଗାଡ଼ି ଆବଶ୍ୟକ ସେନେଇ ସ୍ଵାସ୍ଥ୍ୟ ସଚିବ ତଥ୍ୟ ମାଗିଛନ୍ତି। ଏହାପରେ ଆଗାମୀ ଦିନରେ ଶବ ପରିବହନ ପାଇଁ କିଲୋମିଟର ପିଛା ଦର କେତେ ରହିବ, ସେନେଇ ଆଲୋଚନା ହେବ ବୋଲି ଜଣାପଡିଛି।
ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ସେବା ଯେପରି ଚାଲୁଛି ଏବଂ ପ୍ରସୂତିଙ୍କ ଉଦ୍ଦେଶ୍ୟରେ ମଧ୍ୟ ଯେପରି ମାଗଣା ଆମ୍ବୁଲାନ୍ସ ବ୍ୟବସ୍ଥା କାର୍ଯ୍ୟ କରୁଛି ସେପରି ଏହା ମଧ୍ଯ କାର୍ଯ୍ୟ କରିବ ।