ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ବଡ ନିଷ୍ପତ୍ତି। ରାଜ୍ୟପାଳଙ୍କ ଦ୍ବାରା ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧନ) ଅଧିନିୟମ-୨୦୨୪ ଅନୁମୋଦନ ପରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ ହେବ। ଆଗାମୀ ଶିକ୍ଷାବର୍ଷ ଆରମ୍ଭ ହେବାର ୩ ରୁ ୪ ମାସ ପୂର୍ବରୁ ଅର୍ଥାତ୍ ଜାନୁଆରି କିମ୍ବା ଫେବ୍ରୁଆରୀ ମାସରେ ପ୍ରଫେସର ଚୟନ ପ୍ରକ୍ରିୟା କରାଯିବ। ଅର୍ଥାତ୍ ଏପ୍ରିଲ କିମ୍ବା ମେ’ ମାସରେ ପ୍ରଫେସରଙ୍କ ଅବସର ବେଳକୁ ନୂତନ ପ୍ରଫେସର ଦାୟିତ୍ବ ଗ୍ରହଣ କରିସାରିଥିବେ। ଅନୁରୂପ ଭାବେ ଅଣଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏସ୍ଏସ୍ବି ମାଧ୍ୟମରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଅଣଶିକ୍ଷକ ନିଯୁକ୍ତି ପାଇବେ। ମେ’ ସୁଦ୍ଧା ବିଶ୍ବବିଦ୍ୟାଳୟଗୁଡ଼ିକ ସେମାନଙ୍କ ଖାଲିଥିବା ଅଣଶିକ୍ଷକ ପଦବି ସମ୍ପର୍କରେ ତଥ୍ୟ ପ୍ରଦାନ କରିବେ। ଏହାପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସ୍ଏସ୍ବିଙ୍କୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ କୁଳପତିମାନଙ୍କ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହ ନିଯୁକ୍ତି ପ୍ରକ୍ରିୟା ଯେପରି ଶୀଘ୍ର ହୋଇପାରିବ ସେଥିପାଇଁ ୪ ଜଣ କୁଳପତିଙ୍କୁ ନେଇ ଏକ ସବ୍କମିଟି ଗଠନ ହୋଇଛି। ଏହି ସବ୍କମିଟି ରିପୋର୍ଟ ଆଧାରରେ ନିଯୁକ୍ତି ପ୍ରକ୍ରିୟାରେ କିଭଳି ଶୀଘ୍ର ଓ ସ୍ବଚ୍ଛତା ଆସିପାରିବ ତାହାକୁ ପ୍ରାଥମିକତା ଦିଆଯାଇଛି।
ବର୍ତ୍ତମାନ ବିଶ୍ବବିଦ୍ୟାଳୟଗୁଡ଼ିକରେ ୧୩୫୩ ପ୍ରଫେସର ଓ ୨ହଜାର ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ବିଶ୍ବବିଦ୍ୟାଳୟଗୁଡ଼ିକ ସେମାନଙ୍କ ଆବଶ୍ୟକତା ଜଣାଇବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ କରିବା, ଏନ୍ଏସ୍ଏସ୍ ସଂଖ୍ୟା ବୃଦ୍ଧି, ରାଷ୍ଟ୍ରାୟତ୍ତ କମ୍ପାନି ସହ ରାଜିନାମା କରାଯାଇ ନିଯୁକ୍ତି ସୁଯୋଗ ବଢ଼ାଇବା, ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ସୁଦୃଢ଼ତାକୁ ସୁନିଶ୍ଚିତ କରିବା, କୋଠାବାଡ଼ି ଓ ନିର୍ମାଣ କମିଟି ଗଠନର ପ୍ରସ୍ତାବ, ବିତ୍ତୀୟ ପରିଚାଳନା ପାଇଁ ଅର୍ଥ କିମିଟି ଗଠନ, ନିୟମିତ ଅଡିଟ୍ କରାଯିବା ପରି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି ।