କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର କମିସନ ରିପୋର୍ଟ ସାର୍ବଜନୀନ କରିବା ସମ୍ପର୍କିତ ମାମଲାର ଶୁଣାଣି ସୋମବାର ଉଚ୍ଚ ନ୍ୟାୟାଳୟରେ ହୋଇଛି। ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ ଜଷ୍ଟିସ୍ ରଘୁବୀର ଦାଶ କମିସନଙ୍କ ରିପୋର୍ଟ ବିଧାନସଭା ତଥା କ୍ୟାବିନେଟ୍ ବୈଠକରେ ଦାଖଲ ହେବ। ଏହି ରିପୋର୍ଟ ଆଗାମୀ ଦୁଇ ମାସ ମଧ୍ୟରେ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ ବୋଲି ଆଡଭୋକେଟ ଜେନେରାଲ କୋର୍ଟଙ୍କୁ ସୂଚନା ଦେଇଛନ୍ତି ।
ସେହିଭଳି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ସୋମବାର ଅଦାଲତଙ୍କୁ ଅବଗତ କରିଛନ୍ତି । ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ଅଳଙ୍କାର ସ୍ଥାନାନ୍ତର ହୋଇଥିଲାବେଳେ ଏହାର ଗଣତିମଣତି କାର୍ଯ୍ୟ ନହେବାକୁ ନେଇ ଆବେଦନକାରୀଙ୍କ ପକ୍ଷରୁ ଏକ ମିସ କେସ୍ ରୁଜୁ କରାଯାଇଥିଲା । କ’ଣ ପାଇଁ ଗଣତି ମଣତି କାର୍ଯ୍ୟକରାଯାଉ ନାହିଁ ତାହା ଉପରେ ସ୍ପଷ୍ଟୀକରଣ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜବାବ ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ମେ’ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି।
ଏହି ଜବାବ ପରେ ହାଇକୋର୍ଟ ମାମଲାର ଶୁଣାଣି ଆସନ୍ତା ମେ’ ୧୫ ତାରିଖକୁ ଧାର୍ଯ୍ୟ ହୋଇଛି। ସମାଜସେବୀ ଦିଲୀପ କୁମାର ବରାଳଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ହରିଶ୍ ଟଣ୍ଡନ୍ ଏବଂ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦେଶ ଦେଇଛନ୍ତି ।