ଭୁବନେଶ୍ୱର: ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ । ବିଜେଡ଼ି ବିଧାୟକ ଅରୁଣ ସାହୁ ବିଜେପି ସରକାରଙ୍କୁ ଟାର୍ଗେଟ୍ କରିବା ପରେ କଡ଼ା ଜବାବ ଦେଇଛନ୍ତି ରାଜ୍ୟ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଥିପାଇଁ ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଅପରାଧୀଙ୍କୁ ଦଣ୍ଡବିଧାନରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଛି । ଜାନୁୟାରୀ ପର୍ଯ୍ୟନ୍ତ ଯେଉଁ ରେକର୍ଡ ଥିଲା ତା ପରଠାରୁ ପ୍ରାୟ ୨୦ଟି ମାମଲାରେ ଦଣ୍ଡବିଧାନ କରାଯାଇଛି । ଗତ ୫ ବର୍ଷ ମଧ୍ୟରେ ଯେତିକି ଦଣ୍ଡ ବିଧାନ ହାର ରହିଥିଲା ତାଠାରୁ ଆଗରେ ରହିଛି । ଅପରାଧୀ ଧରାପଡ଼ୁଛନ୍ତି । ୧୦ ମାସ ଭିତରେ ଯେତିକି ଅପରାଧ ହୋଇଛି ସବୁ ମାମଲାରେ ୨୪ରୁ ୭୨ ଘଣ୍ଟା ଭିତରେ ଆକ୍ସନ ନିଆଯାଉଛି । ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ ମଧ୍ୟ କରାଯାଉଛି । ଆବଶ୍ୟକ ପଡିଲେ ଏକାଉଣ୍ଟର ବି କରାଯାଉଛି । କୌଣସି ଅପରାଧୀଙ୍କୁ ଗୋଟିଏ ପ୍ରତିଶତ ବି ସରକାର ରାଜନୈତିକ ସୁରକ୍ଷା ଦେଉନାହାନ୍ତି ।
ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ପୋଲିସକୁ ତଦନ୍ତ ପାଇଁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଆଇନ ଶୃଙ୍ଖଳାକୁ ରାଜ୍ୟ ସରକାର ନିୟନ୍ତ୍ରଣ ରଖିବାକୁ ଚେଷ୍ଟା ଜାରି ରଖିଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ଶୂନ୍ୟ ସହନଶୀଳ ନୀତିରେ କାମ କରୁଛନ୍ତି ସରକାର । ଅତୀତରେ ବି ଅପରାଧ ହେଉଥିଲା,ଆଜି ଯେଉଁ ମାନେ କହୁଛନ୍ତି ସେମାନେ ସରକାରରେ ନାହାନ୍ତି ବୋଲି ନିଶା ଛାଡ଼ିନି ବୋଧେ । ସେତେବେଳେ ସେମାନଙ୍କର ଭୂମିକା କ’ଣ ଥିଲା ? ପୂର୍ବ ସରକାରରେ ନେତା ମାନେ ଆଇନ ତା ବାଟରେ ଯିବ ବୋଲି କହୁଥିଲେ କହିଛନ୍ତି ଆଇନମନ୍ତ୍ରୀ ।