ସମ୍ବଲପୁର : ପ୍ରଥମଥର ପାଇଁ ଓଡ଼ିଶା ଇତିହାସରେ ଭୁବନେଶ୍ଵର ବାହାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀଙ୍କ ଶିବିରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ବହୁ ବରିଷ୍ଠ ମନ୍ତ୍ରୀ ଓ ସଚିବ ମାନେ ଉପସ୍ଥିତ ରହିଥିଲେ । ଏଥିରେ ସମ୍ବଲପୁର ଜିଲ୍ଲା ସମେତ ବରଗଡ, ସୁବର୍ଣ୍ଣପୁର , ଝାରସୁଗୁଡ଼ା, ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡିଶାର ବିଭିନ୍ନ ଅଞ୍ଚଳରୁ ଜନସାଧାରଣ ଆସି ନିଜ ସବୁ ଅଭିଯୋଗ ଗୁଡ଼ିକ ଶିବିରରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ତେବେ ଏହି ଅଭିଯୋଗ ଶୁଣାଣୀ ଶିବିର ପାଇଁ ଦିବ୍ୟାଙ୍କ ଓ ବୃଦ୍ଧବୃଦ୍ଧାଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ସମଗ୍ର ରାଜ୍ୟ ସରକାରଙ୍କ ଟିମ୍ ଲୋକଙ୍କ ପାଖକୁ ଆସି ସିଧାସଳଖ ଲୋକଙ୍କ ଗୁହାରୀ ଶୁଣୁଥିବାରୁ ମୁଖ୍ୟମନ୍ତ୍ରୀ ତଥା ସରକାରଙ୍କୁ ଜନସାଧାରଣ ଧନ୍ୟବାଦ ଜଣାଇଥିଲେ।