ଉତ୍ତରପ୍ରଦେଶ: ଜୀବନ ହାରିଲେ ଆଉ ଜଣେ ଇଞ୍ଜିନିୟର ସ୍ୱାମୀ। ପତ୍ନୀ ଓ ଶଶୁରଘର ଲୋକଙ୍କ ନିର୍ଯ୍ୟାତନ ସହି ନ ପାରି କଲେ ଆତ୍ମହତ୍ୟା। ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରୁ ଆସିଛି ଏହି ଘଟଣା, ଯେଉଁଠାରୁ ଜଣେ ସ୍ୱାମୀ ସ୍ତ୍ରୀ ଓ ଶଶୁରଘର ଲୋକଙ୍କ ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା କରିଛନ୍ତି।
ଘଟଣା ମୁତାବିକ, ଉତ୍ତରପ୍ରଦେଶ ଇଟାୱା ଜିଲ୍ଲା ଔରେୟା ଜନପଦ ଦିବିୟାପୁର ବାସିନ୍ଦା ମୋହନ ଯାଦବ ଏକ ସିମେଣ୍ଟ କାରଖାନାରେ ଫିଲ୍ଡ ଇଞ୍ଜିନୟର ଭାବେ କାମ କରୁଥିଲେ । ପ୍ରିୟା ଯାଦବ ନାମକ ଏକ ଯୁବତୀଙ୍କ ସହ ୭ ବର୍ଷର ପ୍ରେମସମ୍ପର୍କ ପରେ ସେ ତାଙ୍କୁ ବିବାହ କରିଥିଲେ। ବେଶ୍ ହସଖୁସିରେ ଚାଲିଥିଲା ପରିବାର। ପତ୍ନୀ ପ୍ରିୟାଙ୍କ ପଢିବା, କମ୍ପିଟିଟିଭ୍ ପରୀକ୍ଷା ପାଇଁ ସବୁ ଖର୍ଚ୍ଚ କରୁଥିଲେ ସ୍ୱାମୀ ମୋହନ। ବିବାହର ବର୍ଷକ ପରେ ବିହାର ସମସ୍ତିପୁରରେ ସରକାରୀ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ପ୍ରିୟା । ଆଉ ତା ପରେ ପରେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଗଲା । ନିଜ ସ୍ବାମୀଙ୍କୁ ଅଣଦେଖା କରିବାକୁ ଲାଗିଲେ । ନିଜ ମା’ ଓ ବାପଘର ଲୋକଙ୍କ କଥାରେ ପଡି ନିଜ ଗର୍ଭପାତ କରାଇବା ସହ ସ୍ବାମୀଙ୍କୁ ଖରାପ ବ୍ୟବହାର କରିବାକୁ ଲଗିଲେ ।
ଘର ଲୋକାଙ୍କ କଥାରେ ପଡି ସ୍ବାମୀଙ୍କୁ, ନିଜ ନାଁରେ ଜମି ଓ ଅନ୍ୟ ସମ୍ପତ୍ତି କରିଦେବାକୁ ଜିଦି ଧରିଲେ ପ୍ରିୟା ଯାଦବ । ଏଭଳି ନ କଲେ ତାଙ୍କ ବିରୋଧରେ ଓ ତାଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା କେସ୍ କରିବାକୁ ଭୟ ଦେଖାଇଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେବାକୁ ଲାଗିଲା । ଶେଷରେ ସ୍ତ୍ରୀକୁ ନିର୍ଯ୍ୟାତନା ସହି ପାରି ଆତ୍ମହତ୍ୟା କରିଦେଲେ ଯୁବ ଇଞ୍ଜିନିୟର। ଏକ ହୋଟେଲରୁ ତାଙ୍କ ମୃତଦେହ ଜବତ କରିଛି ପୋଲିସ। ମୃତ୍ୟୁ ପୂର୍ବରୁ ମୋହନ ତାଙ୍କ ମୋବାଇଲରେ ଭିଡ଼ିଓ ଜାରି କରି ଆତ୍ମହତ୍ୟାର କାରଣ କହିବା ସହ ଏଥିପାଇଁ ପତ୍ନୀ ଓ ଶଶୁରଘର ଲୋକଙ୍କୁ ଦାୟୀ କରିଛନ୍ତି।
ଭିଡିଓରେ କହିଥିଲେ, ’ ପତ୍ନୀଙ୍କ ନିର୍ଯାତନା , କଟୁ କଥା ଆଉ ସହିହେଉନି । ହେଲେ ପୁରୁଷଙ୍କ ପାଇଁ ତ ନ୍ୟାୟ ନାହିଁ । ଯଦି ତାଙ୍କୁ ମୃତ୍ୟୁ ପରେ ବି ନ୍ୟାୟ ନମିଳେ ତାହେଲେ ତାଙ୍କ ଅସ୍ଥିକୁ ନାଳରେ ଭସାଇଦେବ’ । ଭିଡିଓରେ ଏଭଳି ଅନୁରୋଧ କରିଥିଲେ ମୋହନ । ଆତ୍ମହତ୍ୟା କରିବା ପୂର୍ବରୁ ନିଜ ମା’ ଓ ଭାଇଙ୍କୁ କ୍ଷମା କରିଦେବାକୁ କହିଛନ୍ତି ମୋହନ। ପୋଲିସ ମୋହନଙ୍କ ମୃତଦେହକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।