ବେଙ୍ଗାଲୁରୁ : କର୍ଣ୍ଣାଟକ ପୋଲିସର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଓମ ପ୍ରକାଶଙ୍କ ହତ୍ୟା ମାମଲାରେ ପତ୍ନୀ ପଲ୍ଲବୀଙ୍କ ନାଁ ଚର୍ଚ୍ଚାକୁ ଆସିଛି । ପଲ୍ଲବୀ ଅତି ଅମାନୁଷିକ ଭାବେ ଓମ ପ୍ରକାଶଙ୍କ ହତ୍ୟା କରିଥିବା କୁହାଯାଉଛି । ହେଲେ କର୍ଣ୍ଣାଟକ ପୋଲିସ ପକ୍ଷରୁ ଏ ନେଇ ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । ପୋଲିସ ରବିବାର ହିଁ ପଲ୍ଲବୀଙ୍କ ବ୍ୟତୀତ ଝିଅ କୃତିଙ୍କୁ ପଚରା ଉଚୁରା କରୁଛି । ପୂର୍ବତନ ଡିଜିପିଙ୍କ ପୁଅ ଏଫଆଇଆର ରୁଜୁ କରାଇଛନ୍ତି ।
ଏନଡିଟିଭିର ରିପୋର୍ଟ ଅନୁଯାୟୀ, ଓମ ପ୍ରକାଶଙ୍କ ପତ୍ନୀ ପଲ୍ଲବୀଙ୍କ ସହ ରବିବାର ଅପରାହ୍ଣରେ ଝଗଡା ହୋଇଥିଲା । ଝଗଡା ପରେ ପଲ୍ଲବୀ ଓମ ପ୍ରକାଶଙ୍କ ଉପରେ ଲଙ୍କା ଗୁଣ୍ଡ ଫିଙ୍ଗିଥିଲେ । ତା ପରେ ତାଙ୍କୁ ବାନ୍ଧି ମରିବା ପର୍ଯ୍ୟନ୍ତ ଛୁରିରେ ଓମ ପ୍ରକାଶଙ୍କୁ ଭୁଶି ଚାଲିଥିଲେ । କୁହାଯାଉଛି କାଚ ବୋତଲରେ ଭୁଶି ପଲ୍ଲବୀ ଓମ ପ୍ରକାଶଙ୍କ ହତ୍ୟା କରିଛନ୍ତି ।
କେମିତି ହେଲା ଖୁଲାସା
ପୂର୍ବତନ ପୋଲିସ ଡିଜିଙ୍କ ପେଟ ଓ ଛାତିରେ ଆକ୍ରମଣର ଅନେକ କ୍ଷତ ରହିଥିଲା । ହତ୍ୟା ପରେ ପଲ୍ଲବୀ ଅନ୍ୟ ଜଣେ ପୋଲିସ ଅଧିକାରୀଙ୍କ ପତ୍ନୀ ସହ କଥା ହୋଇ ସ୍ୱାମୀଙ୍କ ହତ୍ୟା ବିଷୟରେ ଜଣାଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଲ୍ଲବୀ ଓ ଝିଅଙ୍କୁ ନିଜ ହେପାଜତକୁ ନେଇଥିଲା । ଉଭୟଙ୍କୁ ପ୍ରାୟ ୧୨ ଘଣ୍ଟା ଧରି ପଚରା ଉଚୁରା କରିଛି ପୋଲିସ ।
ହତ୍ୟାର କାରଣ କଣ ?
ଓମ ପ୍ରକାଶ ଓ ପତ୍ନୀ ପଲ୍ଲବୀଙ୍କ ମଧ୍ୟରେ ସଂପତ୍ତିକୁ ନେ ବିବାଦ ଲାଗି ରହିଥିଲା । ଦୁହିଁଙ୍କ ମଧ୍ୟରେ କୌଣସି ଜଣେ ସଂପର୍କୀୟଙ୍କ ନାଁରେ ସଂପତ୍ତି ସ୍ଥାନାନ୍ତର କରିବା କାରଣରୁ ଝଗଡା ହୋଇଥିଲା । ଆଉ ଘଟଣା ହାତାହାତିକୁ ଯାଇ ହତ୍ୟାର ରୂପ ନେଲା । ପୋଲିସ ତଦନ୍ତ ଚଳାଇଛି ଯେ, ଏଥିରେ ଝିଅର ଭୂମିକା ଅଛି କି ନାହିଁ । ଅନ୍ୟପଟେ ପୁଅ କାର୍ତ୍ତିକ ଅଭିଯୋଗରେ କହିଛନ୍ତି ଯେ, ତାଙ୍କ ମାଆ ଓ ଭଉଣୀ ଡିପ୍ରେସନର ଶିକାର । ସର୍ବଦା ବାପାଙ୍କୁ ମାରିବାର ଧମକ ଦେଉଥିଲେ । ଏହି ଧମକ କାରଣରୁ ବାପା ଓମ ପ୍ରକାଶ ନିଜ ଭଉଣୀ ଘରକୁ ଚାଲି ଯାଇଥିଲେ । ତେବେ ହତ୍ୟାର ଦୁଇ ଦିନ ପୂର୍ବରୁ ସେ ଘରକୁ ଫେରିଥିଲେ । କାରଣ ଭଉଣୀ ବାପାଙ୍କୁ ଭେଟିବାକୁ ଯାଇଥିଲା ଏବଂ ଘରକୁ ଫେରିବାକୁ ଅନୁରୋଧ କରିଥିଲା ।