ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଦାବିରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି । ଏହା ଉପରେ ଆଜି ଟିପ୍ପଣୀ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯାଚିକା ଉପରେ ଶୁଣାଣି ସମୟରେ ବିଚାରପତି ବିଆର ଗବାଇ କହିଛନ୍ତି, ଆପଣ ଚାହାନ୍ତି ଯେ, ରାଷ୍ଟ୍ରପତି ଶାସନ ଲଗାଇବାକୁ ଆମେ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେବୁ ? ସେମିତିରେ ବି ଆମ ଉପରେ କାର୍ଯ୍ୟପାଳିକା କ୍ଷେତ୍ରରେ ଦଖଲ ଦେବାର ଅଭିଯୋଗ ଲାଗୁଛି । ସୁପ୍ରିମକୋର୍ଟ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନଙ୍କ ପକ୍ଷରୁ ଦାୟର ଯାଚିକା ଉପରେ ଏହି ଟିପ୍ପଣୀ କରିଛନ୍ତି ।
ଆଇନଜୀବୀ ବିଷ୍ଣୁ ଜୈନ ୱକଫ ଆଇନକୁ ନେଇ ପଶ୍ଚିମବଙ୍ଗରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଟିପ୍ପଣୀ ଏମିତି ସମୟରେ ଆସିଛି ଯେତେବେଳେ ସୁପ୍ରିମକୋର୍ଟ ଓ କ୍ଷମତାସୀନ ଦଳର ନେତାଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉତ୍ପନ ହୋଇଛି । ବିଶେଷ କରି ତାମିଲନାଡୁ ରାଜ୍ୟପାଳଙ୍କ କେସରେ ଦିଆଯାଇଥିବା ଐତିହାସିକ ରାୟ ପରେ ଏହି ମାମଲା ଅଧିକ ସରଗରମ ହୋଇଛି । ରାଜ୍ୟପାଳ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଧେୟକକୁ ନିଜ ପାଖରେ ପକାଇ ରଖିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଜ୍ୟପାଳଙ୍କ ଏହା ମନମାନୀ କାମ ବୋଲି କୋର୍ଟ କହିଥିଲେ । ସମ୍ବିଧାନର ଅନୁଚ୍ଛେଦ୧୪୨ ଆଧାରରେ ବିଶେଷ ଅଧିକାର ପ୍ରୟୋଗ କରି ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ରୋକ୍ ଲଗାଇଥିଲେ ।
ତାମିଲନାଡୁ କେସରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଅନେକ ବିଜେପି ନେତା ନ୍ୟାୟପାଳିକାର କଡା ସମାଲୋଚନା କରିଥିଲେ । ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି, ଯଦି ସବୁ କିଛି ସୁପ୍ରିମକୋର୍ଟ କରିବ ତେବେ ସଂସଦ ଓ ବିଧାନସଭା ବନ୍ଦ କରି ଦିଆଯାଉ । ସୁପ୍ରିମକୋର୍ଟ ନିଜର ସୀମା ଉଲ୍ଲଂଘନ କରୁଛି ।
ସେ ଏହା ମଧ୍ୟ କହିଛନ୍ତି, ରାମ ମନ୍ଦିର, କୃଷ୍ଣ ଜନ୍ମଭୂମି, ଜ୍ଞାନବ୍ୟାପୀ ପରି ମାମଲାରେ ସୁପ୍ରିମକୋର୍ଟ କାଗଜପତ୍ର ଦେଖାଇବାକୁ କହୁଛନ୍ତି । ମାତ୍ର ମୋଗଲଙ୍କ ପରେ ନିର୍ମିତ ମସଜିକ ଉପରେ କହୁଛନ୍ତି କାଗଜପତ୍ର କେମିତି ଦେଖାଇବୁ ? ଦେଶରେ ଧାର୍ମିକ ଯୁଦ୍ଧ ଉସୁକାଇବା ପାଇଁ ସୁପ୍ରିମକୋର୍ଟ ଦାୟୀ ବୋଲି ନିଶିକାନ୍ତୁ ଦୁବେ କହିଥିଲେ ।
ବିଜେପି ନେତା ଦିନେଶ ଶର୍ମା ମଧ୍ୟ କହିଛନ୍ତି ଯେ, କେହି ବି ରାଷ୍ଟ୍ରପତିଙ୍କୁ ଚ୍ୟାଲେଞ୍ଜ କରି ପାରିବେ ନାହିଁ । ରାଷ୍ଟ୍ରପତି ସର୍ବୋଚ୍ଚ । ସୁପ୍ରିମକୋର୍ଟ ତାଙ୍କୁ ଆଦେଶ ଦେଇ ପାରିବ ନାହିଁ । ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଅଦାଲତର ସମାଲୋଚନା କରି କହିଛନ୍ତି ଯେ, ଆମେ ଏମିତି ସ୍ଥିତି କରି ପାରିବୁ ନାହିଁ ଯେ, ଆପଣ ରାଷ୍ଟ୍ରପତିଙ୍କୁ ନିର୍ଦ୍ଦେଶ ଦେବେ । ଅନୁଚ୍ଛେଦ ୧୪୨ ଏବେ ଗଣତାନ୍ତ୍ରିକ ଶକ୍ତି ବିରୋଧରେ ନ୍ୟାୟପାଳିକା ପାଇଁ ନ୍ୟୁକ୍ଲିୟର ମିସାଇଲରେ ପରିଣତ ହୋଇଛି ।