ମୟୂରଭଞ୍ଜ: ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ପାଇଁ ଭିଟାମାଟି ଛାଡ଼ିଥିବା ବିସ୍ଥାପିତଙ୍କ ସରୁନି ଦୁଃଖ । ୨୦୦୬ରୁ ବିସ୍ଥାପିତ ହୋଇଥିବାବେଳେ ଏ ଯାଏଁ ମିଳିନି କ୍ଷତି ପୂରଣ ଟଙ୍କା । ବିଜେଡ଼ି ସରକାର ଅମଳରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଶେଷ ହୋଇ ପାରି ନାହିଁ । ବାହାସ୍ପଟ ମାରୁଥିବା ପୂର୍ବ ବିଜେଡ଼ି ସରକାର କ୍ଷତି ପୂରଣର ପ୍ରତିଶ୍ରୁତି ଦେଇ ବିସ୍ଥାପିତଙ୍କୁ ଶେଷରେ ଧୋକା ଦେଇ ଛାଡ଼ି ଦେଇଛି। ସରକାରୀ ସହାୟତାକୁ ଅନାଇ ଅନାଇ ଶେଷରେ ହତାଶ ହୋଇଛନ୍ତି ଶତାଧିକ ଆଦିବାସୀ ପରିବାର ।
ମୟୂରଭଞ୍ଜ ଜିଲ୍ଲାରେ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଳିଅଣା ବ୍ଲକରେ ଦୀର୍ଘ ବର୍ଷ ଧରି ଚାଲିଥିବା ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏବେବି ଜାରି ରହିଛି । ଚାଷଜମିକୁ ଜଳସେଚନ ସୁବିଧାରେ ରୂପାନ୍ତରଣ କାର୍ଯ୍ୟକ୍ରମରେ ନିର୍ମାଣ ହୋଇଛି ଜମ୍ଭୀରା ଡ୍ୟାମ୍ । ବନ୍ଧର ତଳପାର୍ଶ୍ୱକୁ ଛାଡ଼ି ଦେଲେ ଉପର ପାର୍ଶ୍ୱରେ ଥିବା ଚାଷଜମିକୁ ପାଣି ପହଁଚି ପାରୁ ନାହିଁ । ଫଳରେ ଏକର ଏକର ଚାଷ ଜମି ପଡ଼ିଆ ପଡ଼ିଛି । ଜମ୍ଭୀରା ଡ୍ୟାମ୍ ପାଇଁ ବାଘୁଆଶୋଳ, ରାମକୋଦଳି, ତାଡକୀ, କେଉଟୁଣୀମାରୀ ଗାଁର ପ୍ରତି ପରିବାରକୁ ନୂତନ ଘର ନିର୍ମାଣ ପାଇଁ ଜାଗା, ପରିବାରରେ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରୀ, ଲୋକଙ୍କ ପାଇଁ ଆଦର୍ଶ କଲୋନୀ, ପକ୍କା ରାସ୍ତା ଓ ବିଦ୍ୟାଳୟ ଏମିତି ଅନେକ ସ୍ୱପ୍ନ ଦେଖାଇଥିଲେ ବିଜେଡ଼ି ସରକାର । ପ୍ରତିଶ୍ରୁତି ଦେବାର ଦୀର୍ଘ ୧୮ ବର୍ଷ ପର୍ଯ୍ୟନ୍ତ ସରକାରରେ ଥିଲା ବିଜେଡ଼ି । ମାତ୍ର ବିସ୍ଥାପିତଙ୍କୁ ଜାଗା କିମ୍ବା ଆର୍ଥିକ ଅନୁଦାନ କିଛି ଦେଇ ନ ଥିଲେ ବୋଲି ଅଭିଯୋଗ ହୋଇଛି ।
ଏପରିକି ବିସ୍ଥାପିତଙ୍କୁ କ୍ଷତିପୂରଣ ସହିତ ମାସକୁ ଦୁଇ ହଜାର ଲେଖାଏଁ ଭରଣ ପୋଷଣ ଭତ୍ତା ମଧ୍ୟ ମିଳିନାହିଁ । ସେହିପରି ପଚାଶ ହଜାର ବିଦାୟ ଟଙ୍କା ସହ ବାଡ଼ିରେ ଗଛ ଲଗାଇବାକୁ ମିଳିବାକୁ ଥିବା ଅର୍ଥରାଶି ମଧ୍ୟ ମିଳିପାରିଲା ନାହିଁ । ସୁବର୍ଣ୍ଣରେଖା କେନାଲ ପାଇଁ ଭିଟା ମାଟି ହରାଇଥିବା ଗ୍ରାମବାସୀ ଏବେବି ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ନୂତନ ବିଜେପି ସରକାର ବିସ୍ଥାପିତଙ୍କ ଦୁଃଖ ବୁଝି କ୍ଷତି ପୂରଣ ପ୍ରଦାନ କରିବା ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି ।