ନୂଆଦିଲ୍ଲୀ: କଂଗ୍ରେସର ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଦାଖଲ ଆବେଦନ ଉପରେ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ୧୦ ଦିନ ଭିତରେ ଏହି ସମ୍ବନ୍ଧରେ ସ୍ପଷ୍ଟ ଜବାବ ରଖିବାକୁ ଅଦାଲତ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୫ ତାରିଖ ଧାର୍ଯ୍ୟ କରାଯାଇଛି।
ବିଚାରପତି ଏଆର ମସୁଦୀ ଓ ବିଚାରପତି ରାଜୀବ ସିଂଙ୍କ ଖଣ୍ଡପୀଠ କର୍ଣ୍ଣାଟକର ଏସ ଭିଗ୍ନେଶ ଶିଶିରଙ୍କ ଦ୍ଵାରା ଦାଖଲ ଜନସ୍ଵାର୍ଥ ମାମଲାରେ ଏହି ଆଦେଶ ପାରିତ କରିଛନ୍ତି। ଗତ ଶୁଣାଣିରେ ଡେପୁଟୀ ସଲିସିଟର ଜେନେରାଲ ଏସବି ପାଣ୍ଡେ କୋର୍ଟକୁ ଜଣାଇଥିଲେ ଯେ, ଏହି ସମ୍ବନ୍ଧରେ ସମ୍ବନ୍ଧିତ ମନ୍ତ୍ରଣାଳୟଠୁ ଜବାବ ମଗା ଯାଇଛି। ଆଉ ମନ୍ତ୍ରଣାଳୟ ବ୍ରିଟିଶ ନାଗରିକତା ବିଷୟରେ ବିବରଣୀ ଦେବା ପାଇଁ ବ୍ରିଟେନ ସରକାରଙ୍କୁ ପତ୍ର ଲେଖିଛନ୍ତି। ଏଥିପାଇଁ ସରକାରଙ୍କୁ ଏହା ଉପରେ ନିଷ୍ପତ୍ତି ନେବା ପାଇଁ ସମୟ ଦେବା ଉଚିତ୍।
ସୂଚନାଯୋଗ୍ୟ, ଆବେଦନକାରୀ କହିଛନ୍ତି ଯେ, ତାଙ୍କ ପାଖରେ ସବୁ କାଗଜପତ୍ର ଓ ବ୍ରିଟିଶ ସରକାରଙ୍କ କିଛି ଇ-ମେଲ୍ ରହିଛି। ଯେଉଁଥିରୁ ପ୍ରମାଣିତ ହେଉଛି ଯେ ରାହୁଲ ଗାନ୍ଧୀ ଜଣେ ବ୍ରିଟିଶ ନାଗରିକ। ଏହି କାରଣରୁ ସେ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଅଟନ୍ତି। ସେହି ହିସାବରେ ଲୋକସଭା ସଦସ୍ୟ ପଦରେ ରହି ପାରିବେ ନାହିଁ।
ଆବେଦନରେ ରାହୁଲ ଗାନ୍ଧୀଙ୍କ ଏହି ପ୍ରକାରର ଦ୍ଵୈତ ନାଗରିକତାକୁ ଭାରତୀୟ ନ୍ୟାୟ ସଂହିତା ଓ ପାସପୋର୍ଟ ଆକ୍ଟ ଆଧାରରେ ଅପରାଧ ବୋଲି ଉଲ୍ଲେଖ କରାଯାଇଛି। ତେଣୁ ସିବିଆଇକୁ ମାମଲାରେ କେସ୍ ରୁଜୁ କରି ତଦନ୍ତର ଆଦେଶ ଦେବାକୁ ଆବେଦନକାରୀ ଦାବି କରିଛନ୍ତି। ଏହା ପୂର୍ବରୁ ସେ ରାହୁଲଙ୍କ ଦ୍ଵୈତ ନାଗରିକତା ନେଇ ସମ୍ବନ୍ଧିତ ଅଧିକାରୀଙ୍କ ନିକଟରେ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ। କିନ୍ତୁ ଏହା ଉପରେ କୌଣସି ଉତ୍ତର ମିଳିଲା ନାହିଁ।