ନୂଆଦିଲ୍ଲୀ: ବିଦେଶ ଗସ୍ତରେ ଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଭାରତକୁ ଅପମାନିତ କରିଛନ୍ତି । ପୁନର୍ବାର ବିଦେଶ ମାଟିରେ ଦେଶର ନିର୍ବାଚନୀ ବ୍ୟବସ୍ଥା ଓ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ରାହୁଲ । ଯାହାକୁ ନେଇ ରାହୁଲଙ୍କ ଉପରେ ସୋସିଆଲ୍ ମିଡିଆରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ରାହୁଲଙ୍କ ଏଭଳି ଦେଶ ବିରୋଧୀ ଆଭିମୁଖ୍ୟକୁ ନେଇ କ୍ଷୁବ୍ଧ ହୋଇଛନ୍ତି । ସେ କହିଛନ୍ତି ଯେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଦେଶ ମାଟିରୁ ପୁଣି ଥରେ ନିର୍ବାଚନ ଆୟୋଗଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଯେତେବେଳେ ରାହୁଲ ଗାନ୍ଧୀ ବିଦେଶରେ ଥାଆନ୍ତି, ସେ ଭାରତ ଏବଂ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ତାଙ୍କର ଘୃଣ୍ୟ ଚିନ୍ତାଧାରା ବାଣ୍ଟିବାକୁ କେବେବି ଭୁଲନ୍ତି ନାହିଁ ।
ସେହିପରି ଧର୍ମେନ୍ଦ୍ର ଆହୁରି କହିଛନ୍ତି, ପ୍ରକୃତରେ, ଦଶନ୍ଧି ଧରି କ୍ଷମତାରେ ଥିବା 'ରାଜକୀୟ' ପରିବାରର 'ଯୁବରାଜ' ଭାରତର ଗୌରବମୟ ଗଣତାନ୍ତ୍ରିକ ପରମ୍ପରାକୁ ମିଳୁଥିବା ବିଶ୍ୱସ୍ତରୀୟ ସ୍ୱୀକୃତି ଦେଖି ବିରକ୍ତ ହୋଇଯାଉଛନ୍ତି । ଏହି କାରଣରୁ ସେ ଦେଶ ଏବଂ ଦେଶବାସୀଙ୍କ ଅପମାନିତ କରିବାର କୌଣସି ଗୋଟିଏ ସୁଯୋଗ ହାତଛଡ଼ା କରନ୍ତି ନାହିଁ । କେବଳ ଦେଶ ନୁହେଁ ବରଂ ବିଶ୍ୱ ମଧ୍ୟ ଆମର ମହାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଏହାର ବିଶ୍ୱସନୀୟତାରେ ବିଶ୍ୱାସ କରେ । କିନ୍ତୁ ରାହୁଲ ଗାନ୍ଧୀଙ୍କ ମୁହଁରେ କ୍ରମାଗତ ପରାଜୟର ହତାଶା ସ୍ପଷ୍ଟ ବାରି ହୋଇ ପଡ଼ୁଛି । ନିର୍ବାଚନୀ ବିଜୟ କିମ୍ବା ପରାଜୟ ଆଧାରରେ ଭାରତର ଗଣତାନ୍ତ୍ରିକ ମର୍ଯ୍ୟାଦାକୁ ଆଘାତ ନ ଦେବାକୁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।
ଏଠାରେ ଉଲ୍ଲେଖ ଯୋଗ୍ୟ, ରବିବାର ଆମେରିକାର ବୋଷ୍ଟନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାବେଳେ ରାହୁଲ ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ । ସେ କହିଥିଲେ ଯେ ନିର୍ବାଚନ କମିଶନ ସନ୍ଧ୍ୟାରେ ଆମକୁ ଏକ ସଂଖ୍ୟା ଦେଇଥିଲେ ଏବଂ ଦୁଇ ଘଣ୍ଟା ମଧ୍ୟରେ ୬୫ ଲକ୍ଷ ଭୋଟର ଭୋଟ ଦେଇଥିଲେ, ଯାହା ବାସ୍ତବରେ ଅସମ୍ଭବ । ଏମିତିକି ସେ ନିର୍ବାଚନ ଆୟୋଗଙ୍କୁ କମ୍ପରମାଇଜଡ୍ ବା ଆପୋଷ ବୁଝାମଣାର ଆଖ୍ୟା ଦେବା ସହିତ ସିଷ୍ଟମରେ କିଛି ତ୍ରୁଟି ଥିବା କହିଥିଲେ । ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ ବିଦେଶ ମାଟିରେ ଦେଶକୁ ଅପମାନିତ କରିବା ରାହୁଲ ଗାନ୍ଧୀଙ୍କର ପୁରୁଣା ଅଭ୍ୟାସ... ସେ ବହୁତ ଦିନ ଧରି ଏହା କରିଆସୁଛନ୍ତି।