ଭୁବନେଶ୍ୱର: ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବଢ଼ୁଥିବା ହିନ୍ଦୁ ବିରୋଧୀ ହିଂସାକୁ ଘୋର ନିନ୍ଦା କରିଛନ୍ତି ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଯେଉଁ ପଶ୍ଚିମବଙ୍ଗ କ୍ରାନ୍ତିକାରୀଙ୍କ ଏନ୍ତୁଡ଼ିଶାଳ ଥିଲା ସେହି ପଶ୍ଚିମବଙ୍ଗ ଏବେ ଜିହାଦୀଙ୍କ ପେଣ୍ଠସ୍ଥଳ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।
ସୁରେଶ ପୂଜାରୀ ପଶ୍ଚିମବଙ୍ଗରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ମମତା ବାନାର୍ଜୀ ସଂସଦୀୟ ଗଣତନ୍ତ୍ରକୁ ପ୍ରତ୍ୟେକ ଦିନ ଆକ୍ରମଣ କରି ରକ୍ତାକ୍ତ କରୁଛନ୍ତି । ମନ୍ତ୍ରୀ ଶ୍ରୀ ପୂଜାରୀ ନିଜେ ଅଙ୍ଗେ ଲିଭାଇଥିବା କାହାଣୀ ମଧ୍ୟ କହିଛନ୍ତି । ବିଜେପି ପକ୍ଷରୁ ସେଠାରେ 6 ବର୍ଷ କାମ କରିବା ଭିତରେ ନଗ୍ନ ଏବଂ ବିଭତ୍ସ ଦୃଶ୍ୟ ଦେଖିଛନ୍ତି । ସେ ମଧ୍ୟ ଆହତ ହୋଇଥିଲେ ଏବଂ ତାଙ୍କ ମୁଣ୍ଡରେ 6ଟି ଷ୍ଟିଚ୍ ପଡ଼ିଥିଲା । ସେଠାରେ ହିନ୍ଦୁ ଆଦୌ ସୁରକ୍ଷିତ ନୁହଁନ୍ତି । ଯେଉଁ ହିନ୍ଦୁ ଅତ୍ୟାଚାରିତ ହୋଇ ବାଂଲାଦେଶରୁ ସେଠାକୁ ଆସୁଛନ୍ତି ସେମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ୱକଫ୍ ଏବଂ ଟ୍ରିପଲ୍ ତଲାଖ ଆଇନ ଗୃହୀତ ହେବା ପରେ ପ୍ରତି ଆକ୍ରମଣରେ ହିନ୍ଦୁ ଆହତ ହୋଇଛନ୍ତି । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ।
ସେହିପରି ସେ ଆହୁରି କହିଛନ୍ତି, ଯେଉଁ ପଶ୍ଚିମବଙ୍ଗ କ୍ରାନ୍ତିକାରୀଙ୍କ ଏନ୍ତୁଡ଼ିଶାଳ ଥିଲା ସେହି ପଶ୍ଚିମବଙ୍ଗ ଏବେ ଜିହାଦୀଙ୍କ ପେଣ୍ଠସ୍ଥଳ । ସଂସଦୀୟ ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ । ଗଣତନ୍ତ୍ରକୁ ରକ୍ତାକ୍ତ କରିବାରେ ମମତା ବାନାର୍ଜୀ ଇତିହାସରେ ଜଣେ କଳଙ୍କିତ ମୁଖ୍ୟମନ୍ତ୍ରୀ ହୋଇ ରହିବେ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ ।