ଢେଙ୍କାନାଳ ମହେଶ୍ୱର ବେହେରା ମୃତ୍ୟୁ ମାମଲା। ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ବିଭତ୍ସ ଭାବେ ହତ୍ୟା। ପ୍ରଥମେ ଗୁଳି ମାରିଲେ, ହେଲେ ନ ମରିବାରୁ ଗୋଡ଼େଇ ଗୋଡ଼େଇ ପଥରରେ ଛେଚି ହତ୍ୟା କଲେ। ଢେଙ୍କାନାଳ ଟାଉନ ଥାନା ଅନ୍ତଗର୍ତ କାରିଗର ସାହିରେ ଘଟିଛି ଏହି ବର୍ବର ହତ୍ୟାକାଣ୍ଡ। ମୃତ ଯୁବକ ହେଉଛନ୍ତି ମହେଶ୍ୱର ବେହେରା ଓରଫ ଟିଟନ। ସେପଟେ ଏହି ଘଟଣାକୁ ନେଇ ନ୍ୟାୟ ଦାବି କରି ରାସ୍ତାରୋକ କରିଛନ୍ତି ଗ୍ରାମବାସୀ। ରାସ୍ତା ଉପରେ ଶବ ରଖି ଉତ୍ୟକ୍ତ ଲୋକ କରିଛନ୍ତି ରାସ୍ତାରୋକ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବିରେ ଅଡି ବସିଛନ୍ତି ମୃତ ଟିଟନଙ୍କ ପରିବାର ଓ ସାହି ବାସିନ୍ଦା। ରାସ୍ତାରୋକ ଯୋଗୁଁ ଯାତାୟତରେ ସମସ୍ୟା ଉପୁଜୁଛି। ରାସ୍ତାର ଉଭୟ ପଟରେ ଶତାଧିକ ଗାଡି ଅଟକି ରହିଛି।ଏପଟେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ଗତକାଲି (ରବିବାର) ରାତି ପ୍ରାୟ ୧୧ଟା ବେଳେ ସେ ଘରକୁ ଫେରିବା ସମୟରେ ଦୁବୃର୍ତ ମାନେ ତାଙ୍କ ଉପରେ ଅଚାନକ ଗୁଳିମାଡ଼ କରିଥିଲେ। ତେବେ ଗୁଳି ଟିଟନଙ୍କ ଗୋଡ଼ରେ ବାଜିବାରୁ ସେ ଘଟଣାସ୍ଥଳରେ ଖସି ପଡ଼ିଥିଲେ। ଘଟଣାଟି ତାଙ୍କ ଘରଠାରୁ ଅଳ୍ପ ଦୂରରେ ଘଟିଥିବାରୁ ଗୁଳି ଶବ୍ଦ ଶୁଣି ତାଙ୍କ ସ୍ତ୍ରୀ ବାହାରକୁ ଦୌଡ଼ି ଆସିଥିଲେ। ଟିଟନ ଜୀବନ ବିକଳରେ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ସେଠାରୁ ଘୋଷାଡ଼ି ନେଇ ଅନ୍ୟ ଏକ ସ୍ଥାନରେ ପଥର ଛେଚି ହତ୍ୟା କରିଥିଲେ ଓ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏହି ସମୟରେ ଟିଟନଙ୍କ ପତ୍ନୀ ଅଭିଯୁକ୍ତଙ୍କ ଆଗେ ସ୍ୱାମୀର ଜୀବନ ପାଇଁ ଯେତେ ନେହୁରା ହୋଇଥିଲେ ବି ତାଙ୍କ କଥା ଶୁଣିନଥିଲେ ଦୁବୁର୍ତ। ଶେଷରେ ହତ୍ୟା ପରେ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ। ଏପଟେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଘଟଣାରେ ସାତ ଜଣଙ୍କୁ ଗିରଫ କରିଥିବା କହିଛନ୍ତି ଅତିରିକ୍ତ ଏସପି ସୁର୍ଯ୍ୟମଣି ପ୍ରଧାନ। ଏପଟେ ପୋଲିସ ତଦନ୍ତ ବେଳେ କାରିଗର ସାହି ନିକଟରୁ ଦୁଇଟି ଖୋକା ଜବତ ହୋଇଛି। ଫେରାର ଅନ୍ୟ ପାଞ୍ଚ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ଛାନଭିନ ଚଳାଇଛି।