ଗଞ୍ଜାମ: ଆଜି ଚୈତ୍ର ଶେଷ ମଙ୍ଗଳବାରରେ ଗଞ୍ଜାମ:ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଯାତ୍ରା ଉଦ୍ଯାପିତ ହୋଇଛି । ଶେଷ ପାଳିରେ ମା’ ତାରାତାରିଣୀ ବାସନ୍ତିକ ଦୁର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ବହୁ ଦୂରଦୂରାନ୍ତରୁ ଭକ୍ତମାନେ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ମନ୍ଦିରକୁ ଛୁଟି ଆସିଛନ୍ତି। ମଙ୍ଗଳବାର ଭୋର ସାଢେ ୪ରୁ ମଙ୍ଗଳ ଆଳତି, ଅବକାଶ, ମଇଲମ ଲାଗି, ତଡ଼ପ ଲାଗି, ମହାସ୍ନାନ, ସିଙ୍ଗାର, ଷୋଡ଼ଶଉପଚାର ପୂଜା ଆଦି ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଅନୁଯାୟୀ ସମସ୍ତ ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଥିବା ବେଳେ ମା ବାସନ୍ତିକ ଦୁର୍ଗା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମନସ୍କାମନା ପୂରଣ ଲାଗି ମାନସିକଧାରୀମାନେ ନିଜ ଶିଶୁଙ୍କ ମୁଣ୍ଡନ କରାଇଛନ୍ତି। ଭୋର ୩.୩୦ରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନେ ପାହାଡ଼ ପାଦଦେଶ ମୁଣ୍ଡନ ଶାଳାରେ ଶିଶୁଙ୍କ ମୁଣ୍ଡନ କରାଇ ୯୯୯ ପାହାଛ ଚଢି ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି।
ସେହିପରି ଶାନ୍ତି ଶୃଙ୍ଖଳାର ସହ ମା’ଙ୍କ ଚୈତ୍ର ଯାତ୍ରା ଶେଷ ହେବ ସେ ନେଇ ଦେବୋତ୍ତର ବିଭାଗ ଓ ଜିଲା ପ୍ରଶାସନ, ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ଼ର ସହ ପାହାଡ ଉପରକୁ ଯାଇ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ୨୦ରୁ ଅଧିକ ସିଟି ବସ ର ବ୍ୟବସ୍ଥା କରାଯାଇଛି