ଭୁବନେଶ୍ୱର : ଗିରଫ ହେଲେ ଲାଞ୍ଚୁଆ ସବଇନସ୍ପେକ୍ଟର। କଲ୍ୟାଣପୁରର ମୋନାଲିସା ଦାସଙ୍କ ଠାରୁ ନେଉଥିଲେ ଲାଞ୍ଚ ଟଙ୍କା। କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନଙ୍କୁ ଧରିଥିଲା ଭିଜିଲାନ୍ସ। ଏହାପରେ ସମସ୍ତ ଘଟଣା ବାବଦରେ ପଚରାଉଚରା କରିଥିଲା। ତଦନ୍ତ ବେଳେ ସମସ୍ତ ତଥ୍ୟ ସତ୍ୟ ସାବ୍ୟସ୍ତ ହେବା ପରେ ଭିଜିଲାନ୍ସ ସବଇନସ୍ପେକ୍ଟର ରାଜେଶ ଶ୍ରୀଚନ୍ଦନଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଏକ କେଶ ବାବଦରେ ମୋନାଲିସା ଦାସ ଥାନାରେ ଏଫଆଇର ଦେବାକୁ ଆସିଥିଲେ। ମାତ୍ର ଏଫଆଇଆର ରଖିବାକୁ ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନ ମୋନାଲିସାଙ୍କୁ ଟଙ୍କା ମାଗିଥିଲେ। ଏମିତିକି ଟଙ୍କା ନଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ କହିଥିଲେ। ତେବେ ଶେଷରେ ମହିଳା ଜଣକ ଏ ସମସ୍ତ ଘଟଣା ବାବଦରେ ଭିଜିଲାନ୍ସକୁ ଖବର ଦେଇଥିଲେ। ସେହି ସମୟରେ ଏସଆଇ କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ପ୍ରମାଣ ସହ ଧରିଥିଲା। ସେପଟେ ଭିଜିଲାନ୍ସ ଟିମ୍ ଗଠନ କରି ଶ୍ରୀଚନ୍ଦନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ତେବେ ସମସ୍ତ ପ୍ରମାଣ ପତ୍ରକୁ ଭିତି କରି ଲାଞ୍ଚୁଆ ସବଇନସ୍ପେକ୍ଟରଙ୍କୁ ଗିରଫ କରାଯାଇଛି।