ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ପ୍ରଥମ ସୁପର ଓଭରରେ ରାଜସ୍ଥାନ ରୟାଲ୍ସକୁ ହରାଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୮୮ ରନ କରିଥିଲା । ଜବାବରେ ରାଜସ୍ଥାନ ରୟାଲ୍ସ ଯଶସ୍ୱୀ ଜୟସ୍ୱାଲ ଓ ନୀତିଶ ରାଣାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ଓଭରରେ ସମାନ ୧୮୮ ରନ କରି ପାରିଥିଲା । ଫଳରେ ସୁପର ଓଭର ଖେଳା ଯାଇଥିଲା । ସୁପର ଓଭରରେ ରାଜସ୍ଥାନ ୧୧ ରନ କରିଥିଲା, ଯାହାକୁ ଦିଲ୍ଲୀ ହାସଲ କରି ନେଇଥିଲା । ଦିଲ୍ଲୀ ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ ରାଜସ୍ଥାନ ନିଜର ସପ୍ତମ ମ୍ୟାଚରୁ ପଞ୍ଚମ ପରାଜୟ ଭୋଗିଛି ।
୧୮୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ଦମଦାର ଆରମ୍ଭ କରିଥିଲା । ଜୟସ୍ୱାଲ ଓ ଅଧିନାୟକ ସଞ୍ଜୁ ସାମସନ ଭଲ ବ୍ୟାଟିଂ କରିଥିଲେ । ହେଲେ ସଞ୍ଜୁ ବ୍ୟକ୍ତିଗତ ୩୧ ରନ ସ୍କୋରରେ ରିଟାୟର୍ଡ ହଟ୍ ହୋଇଥିଲେ । ରିୟାନ ପରାଗ ଏଥର ମଧ୍ୟ ସଂଘର୍ଷ କରି ମାତ୍ର ୮ ରନ କରିଥିଲେ । ଜୟସ୍ୱାଲ ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ପୂରା କରିଥିଲେ । ସେ ୩୭ ବଲରୁ ୫୧ ରନ କରି ଆଉଟ୍ ହୋଇଥିଲେ ।
ରାଜସ୍ଥାନର ଦ୍ୱିତୀୟ ୱିକେଟ୍ ୧୧୨ ରନ ସ୍କୋରରେ ଖସିଥିଲା । ଏହା ପରେ ନୀତିଶ ରାଣା ଓ ଧ୍ରୁବ ଜୁରେଲ ଇନିଂସ ସମ୍ଭାଳିଥିଲେ । ରାଜସ୍ଥାନ ସହଜ ବିଜୟ ଆଡକୁ ବଢୁଥିବା ବେଳେ ନୀତିଶ ୫୧ ରନ କରି ଆଉଟ୍ ହୋଇଥିଲେ । ଏଠାରେ ହିଁ ମ୍ୟାଚର ଗତି ବଦଳିଥିଲା ଏବଂ ରୋମାଞ୍ଚକର ମୋଡ ନେଇଥିଲା । ଶେଷ ଓଭରରେ ରାଜସ୍ଥାନକୁ ଜିତିବା ପାଇଁ ୯ ରନ ଦରକାର ଥିଲା । ହେଲେ ଉକ୍ତ ଓଭରରେ ମିଚେଲ୍ ଷ୍ଟାର୍କ ୮ ରନ ଦେଇ ଦିଲ୍ଲୀକୁ ପରାଜୟ ମୁଖରୁ ବଞ୍ଚାଇଥିଲେ । କ୍ରିଜରେ ସିମରନ ହେଟମାୟର ଓ ଧ୍ରୁବ ଜୁରେଲଙ୍କ ପରି ବ୍ୟାଟର ଥାଇ ବି ମ୍ୟାଚ୍ ଟାଇ ରହିଥିଲା ।
ଏହା ପୂର୍ବରୁ ଦିଲ୍ଲୀ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଅଭିଷେକ ପୋରେଲ୍ ସର୍ବାଧିକ ୪୯ ରନର ଇନିଂସ ଖେଳିଥିଲେ । ତାଙ୍କ ପରେ କେଏଲ ରାହୁଲ ୩୮ ରନ କରିଥିଲେ । ଅଧିନାୟକ ଅକ୍ଷର ପଟେଲ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୪ ବଲରୁ ୩୪ ରନ କରିଥିଲେ । ଟ୍ରିଷ୍ଟନ ଷ୍ଟବ୍ସ ୧୮ ବଲରୁ ୩୪ ରନର କରି ଅପରାଜିତ ଥିଲେ । ବ୍ୟାଟରଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଦିଲ୍ଲୀ ୧୮୮ ରନ କରିଥିଲା ।