ମୁମ୍ବାଇ: ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୋଧରେ କଥିତ ଅପମାନଜନକ ଟିପ୍ପଣୀ ପାଇଁ ଷ୍ଟାଣ୍ଡଅପ କମେଡିୟାନ କୃଣାଲ କାମରାଙ୍କ ବିରୋଧରେ ରୁଜୁ ଯାଚିକା ଉପରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଯେ ପର୍ୟ୍ୟନ୍ତ ନିଷ୍ପତ୍ତି ନ ଶୁଣା ଯାଇଛି ସେ ପର୍ୟ୍ୟନ୍ତ କାମରାଙ୍କୁ ଗିରଫ କରାଯିବାର ଆବଶ୍ୟକତା ନାହିଁ। ଜଷ୍ଟିସ ସାରଙ୍ଗ କୋତବାଲ ଓ ଜଷ୍ଟିସ ଏସ ମୋଦକଙ୍କ ପୀଠ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ନିଜର ଆଦେଶ ସଂରକ୍ଷିତ ରଖିଛନ୍ତି।
ବମ୍ବେ ହାଇକୋର୍ଟ ବୁଧବାର କହିଛନ୍ତି ଯେ, ମୁମ୍ବାଇ ପୋଲିସ କୃଣାଲ କାମରାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳିବା ପରେ ବି ସେହି ସମୟରେ ପୋଲିସ ତାଙ୍କୁ ଫିଜିକାଲ୍ ଭାବେ ଜେରା କରିବାକୁ ଚାହୁଁଛି। ଏହି ମାମଲାରେ ଆଦେଶ ନ ଆସିବା ପର୍ୟ୍ୟନ୍ତ କୃଣାଲଙ୍କୁ ଗିରଫ କରାଯିବ ନାହିଁ।
କାମରାଙ୍କ ଓକିଲ ନବରୋଜ ସୀରବଇ ମୁମ୍ବାଇ ପୋଲିସର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଏଫଆଇଆରରେ ଯାହା ବି ଉଲ୍ଲେଖ ରହିଛି ସେଥିରେ କୌଣସି ଅପରାଧ ମାମଲା ହୋଇ ପାରିବ ନାହିଁ। ସେ ଟାଇମିଂ ନେଇ ମଧ୍ୟ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ । ସେ କହିଛନ୍ତି, ମାର୍ଚ୍ଚ ୨୩ ତାରିଖ ରାତି ୯ଟା ୩୦ରେ ତାଙ୍କୁ ଭିଡିଓ କ୍ଲିପ ମିଳିଲା ଏବଂ ସେହି ରାତି ୧୦ଟା ୪୫ ସୁଦ୍ଧା ଅଭିଯୋଗ ଆସିଲା । ପୁଣି ରାତି ୧୧ଟା ୫୫ ଭିତରେ କାମରାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଗଲା ।
ସେ କହିଛନ୍ତି, ଯେେବେ ଖୋଲାଖୋଲି କାମରାଙ୍କୁ ଧମକ ଦିଆଯାଉଛି, ହାଣିବାକୁ ଧମକ ଦିଆଯାଉଛି ଏବଂ ପୋଷ୍ଟର ମରାଯାଉଛି, ସେହି ସମୟରେ ପୋଲିସ କାମରାଙ୍କୁ ଶାରୀରିକ ଭାବେ ଥାନାରେ ହାଜର ହେବାକୁ ଚାପ ପକାଉଛି । ଦେଶ ସ୍ୱାଧୀନତାକୁ ୭୫ ବର୍ଷ ପୂରଣ ହୋଇଥିଲେ ମଧ୍ୟ ପୋଲିସ ଏ ଯାଏ ମୌଳିକ ଅଧିକାର ଜାଣି ପାରିଲା ନାହିଁ ବୋଲି କାମରାଙ୍କ ଓକିଲ କହିଛନ୍ତି ।