ଢାକା: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ନିର୍ଯାତନାର ଧାରାବାହିକ ଥମିବାର ନାଁ ନେଉନାହିଁ। ଦିନାଜପୁର ଜିଲ୍ଲାରେ ହିନ୍ଦୁ ନେତା ଭାବରେସ ଚନ୍ଦ୍ରଙ୍କୁ ଅପହରଣ କରାଯାଇ ନିର୍ମମ ଭାବରେ ପିଟିପିଟି ହତ୍ୟା କରାଯାଇଥିଲା। ଅନ୍ୟ ଏକ ଘଟଣାରେ, ହିନ୍ଦୁ ପ୍ରଧାନଶିକ୍ଷକ କାନ୍ତିଲାଲ ଆଚାର୍ଯ୍ୟଙ୍କୁ ବନ୍ଧକ ରଖାଯାଇଥିଲା ଏବଂ ତାଙ୍କ ପଦବିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଭାବରେଶ ଚନ୍ଦ୍ର ତାଙ୍କ ଅଞ୍ଚଳର ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରମୁଖ ନେତା ଥିଲେ। ସେ ବାଂଲାଦେଶ ପୂଜା ଉତ୍ସବ ପରିଷଦର ବିରାଳ ୟୁନିଟର ଉପାଧ୍ୟକ୍ଷ ମଧ୍ୟ ଥିଲେ।
ତାଙ୍କ ସ୍ତ୍ରୀ ଶାନ୍ତନା ରାୟ କହିଛନ୍ତି ଯେ ଗୁରୁବାର ଚାରି ଜଣ ବ୍ୟକ୍ତି ଦୁଇଟି ବାଇକ୍ରେ ଆସି ସେମାନଙ୍କ ଘରୁ ଭାବରେଶଙ୍କୁ ଅପହରଣ କରି ନେଇଥିଲେ। ଅନେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ସେମାନେ ଆକ୍ରମଣକାରୀମାନଙ୍କୁ ନରବାରୀ ଗାଁକୁ ନେଇ ଯାଉଥିବାର ଦେଖିଛନ୍ତି, ଯେଉଁଠାରେ ତାଙ୍କୁ ନିର୍ମମ ଭାବରେ ମାଡ଼ ଦିଆଯାଇଥିଲା।
ଆକ୍ରମଣକାରୀମାନେ ଭାବରେଶଙ୍କୁ ଏକ ଭ୍ୟାନରେ ଆଣି ତାଙ୍କ ଘରେ ଛାଡି ଦେଇଥିଲେ। ସେ ସେତେବେଳେ ଚେତାଶୂନ୍ୟ ଥିଲେ। ତାଙ୍କୁ ତୁରନ୍ତ ବିରାଳ ଉପଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ଏହା ପରେ ତାଙ୍କୁ ଦିନାଜପୁର ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଚିଟ୍ଟାଗଙ୍ଗର ଭାଟିଆରି ହାଜି ତୋବାରକ ଅଲି ଚୌଧୁରୀ ହାଇସ୍କୁଲର କାର୍ଯ୍ୟକାରୀ ପ୍ରଧାନଶିକ୍ଷକ କାନ୍ତିଲାଲ ଆଚାର୍ଯ୍ୟଙ୍କୁ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଏବଂ ଏହାର ସହଯୋଗୀ ସଂଗଠନର ସଦସ୍ୟମାନେ ଦୁର୍ନୀତିର ମିଥ୍ୟା ଅଭିଯୋଗରେ ମାଡ଼ ମାରି ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ।
ପ୍ରଧାନଶିକ୍ଷକଙ୍କ ଝିଅ ଭାବନା ଆଚାର୍ଯ୍ୟ ଇଣ୍ଟରନେଟ୍ ମିଡିଆରେ ଅଭିଯୋଗ କରିଛନ୍ତି ଯେ କୌଣସି ଅଭିଯୋଗ ପ୍ରମାଣିତ ନହୋଇ ତାଙ୍କ ବାପାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା। ଭାବନା ଲେଖିଛନ୍ତି, ଏହି ଘଟଣା ପୂର୍ବରୁ ମୋ ବାପାଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଇଥିଲା। ତାଙ୍କୁ କୁହାଗଲା ଯେ ଯଦି ସେ ସ୍କୁଲକୁ ଯାଏ ତେବେ ତାଙ୍କୁ ଅପମାନିତ କରାଯିବ। ଏହାର ଉତ୍ତରରେ ମୋ ବାପା କହିଥିଲେ ଯେ ସେ କିଛି ଭୁଲ କରିନାହାଁନ୍ତି ଏବଂ କୌଣସି ଅପରାଧ କରିନାହାଁନ୍ତି।
ଅଧିକ ପଢ଼ନ୍ତୁ: କେଦାରନାଥ-ବଦ୍ରିନାଥଙ୍କ ଦ୍ୱାର ଖୋଲିବା ତାରିଖ ହେଲା ଘୋଷଣା