ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବିଚାରପତି ବିଭି ନାଗରତ୍ନା ଶୁକ୍ରବାର ଲୋକସଭା ଓ ରାଜ୍ୟର ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଶୀଘ୍ର ଲାଗୁ କରାଯିବା ଉପରେ ଯୁକ୍ତି ବାଢିଛନ୍ତି । ସେ ଆଶା ପ୍ରକାଶ କରିଛନ୍ତି ଯେ, ଏହି ଐତିହାସିକ ପଦକ୍ଷେପ ତାଙ୍କ ଜୀବନକାଳରେ ପୂରା ହେଉ । ଆଉ ଏହି ଦିନ ଭାରତର ସମ୍ବିଧାନ ନିର୍ମାତାଙ୍କ ବାସ୍ତବିକ ସମାନତାର ସ୍ୱପ୍ନ ସାକାର ହେବ ।
ଜଷ୍ଟିସ ନାଗରତ୍ନା ୨୦୨୭ ସେପ୍ଟେମ୍ବରରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ସେ women laws- from womb to the tomb ନାମକ ପୁସ୍ତକର ବିମୋଚନ କାର୍ଯ୍ୟକ୍ରମରେ ଉପରୋକ୍ତ ଟିପ୍ପଣୀ କରିଛନ୍ତି । ଏହି ପୁସ୍ତକର ରଚନା କରିଛନ୍ତି ବରିଷ୍ଠ ଆଡଭୋକେଟ୍ ମହାଲକ୍ଷ୍ମୀ ପାବନି ।
ଜଷ୍ଟିସ ନାଗରତ୍ନା କହିଛନ୍ତି, ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ ଆଧାରରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାର ପ୍ରାବଧାନ ରହିଛି । ମୁଁ ଆଶା କରୁଛି ଯେ, ଏହି ଆଇନ ଆମ ଜୀବନକାଳରେ ଲାଗୁ ହେଉ । ଏହି ଦିନ ମହିଳାଙ୍କ ସମାନତା ଲଢେଇର ଐତିହାସିକ ଦିନ ହେବ । ଆମ ସମ୍ବିଧାନ ନିର୍ମାତାଙ୍କ ଏକ ଆଦର୍ଶ ଲକ୍ଷ୍ୟ ପୂରା ହେବ ।
ସେ ଏହା ମଧ୍ୟ କହିଛନ୍ତି, ମହିଳା ସାର୍ବଜନୀନ ଜୀବନ ଓ ଦାୟିତ୍ୱରେ ନିଜର ଉଚିତ୍ ଭାଗିଦାରୀ ପାଇବା ଉଚିତ୍ । ସେମାନେ ପୁରୁଷଙ୍କ ଜାଗା ନେଉ ନାହାନ୍ତି । ବରଂ ସେହି ଅଧିକାର କ୍ଷେତ୍ରକୁ ପୁଣି ଥରେ ହାସଲ କରୁଛନ୍ତି, ଯାହା ପିତୃସତାତ୍ମକ ଚିନ୍ତାଧାରା ଓ ଭେଦଭାବ କାରଣରୁ ଛଡାଇ ନିଆଯାଇଥିଲା । ଆମେ ପୁରୁଷ ବିରୋଧୀ ନୁହେଁ, ଆମେ ମହିଳା ସମର୍ଥକ ।