ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଲଗାତାର କମ ହେଇ ଚାଲିଥିବା ଲଢୁଆ ବିମାନକୁ ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଚୀନ ନିଜର ବାୟୁସେନାକୁ ମଜବୁତ କରିବାରେ ଲାଗି ପଡିଛି । ଏହା ମଧ୍ୟରେ ପ୍ରତିରକ୍ଷା ସମ୍ବନ୍ଧିତ ଏକ ୱେବସାଇଟ ନିଜ ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଭାରତ ସରକାର ଫ୍ରାନ୍ସଠୁ ଆହୁରି ୪୦ ରାଫେଲ ଲଢୁଆ ବିମାନ କିଣିବାକୁ ନିଷ୍ପତ୍ତି ନେଇଛି ।
ଭାରତ ଓ ଫ୍ରାନ୍ସ ମଧ୍ୟରେ ଏହି ଡିଲ ସରକାରଠୁ ସରକାର(ଜିଟୁଜି) ଆଧାରରେ ହେବ । ରିପୋର୍ଟ ଅନୁସାରେ, ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ୨୮ କିମ୍ବା ଏପ୍ରିଲ ୨୯ରେ ଭାରତ ଗସ୍ତରେ ଆସିବେ । ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ ଭାରତୀୟ ନୌସେନା ପାଇଁ ରାଫେଲ ମରିନ ଲଢୁଆ ବିମାନ କ୍ରୟ ନେଇ ଚୁକ୍ତିନାମା କରାଯିବ । ଏହି ରାଫେଲ ମରିନ ଫାଇଟର ଜେଟକୁ ଭାରତ ଏୟାରକ୍ରାଫ୍ଟ ବାହକ ଜାହାଜରେ ମୁତୟନ କରାଯିବ ।
ଭାରତ ଶକ୍ତି ରିପୋର୍ଟ ମୁତାବକ, ଭାରତର ବରିଷ୍ଠ ଅଧିକାରୀ ଭାରତ ଓ ଫ୍ରାନ୍ସ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ହୋଇଥିବା କହିଛନ୍ତି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏଥିରେ ଭାରତରେ ନିର୍ମିତ ହେଲିକପ୍ଟର ପାଇଁ ଫ୍ରାନ୍ସର କମ୍ପାନି ସଫ୍ରାନଠୁ ଇଞ୍ଜିନ କ୍ରୟ ଓ ଭାରତୀୟ ବାୟୁସେନା ପାଇଁ ରାଫେଲ ଲଢୁଆ ବିମାନ କ୍ରୟ ଉପରେ ମଧ୍ୟ ଆଲୋଚନା ହୋଇଛି ।
ଏହି ରାଜିନାମାକୁ ଫ୍ରାଷ୍ଟ-ଟ୍ରାକ MRFA ପ୍ଲସ ଡିଲର ନାମ ଦିଆଯାଇଛି । MRFA(ମଲଟି ରୋଲ ଫାଇଟର ଏୟାରକ୍ରାଫ୍ଟ) ପ୍ରୋଗ୍ରାମ ଆଧାରରେ ଭାରତ ଫ୍ରାନ୍ସଠୁ ୧୧୪ ଲଢୁଆ ବିମାନ କିଣିବାକୁ ଯୋଜନା ରଖିଛି । ଏହାକୁ ନେଇ ଅନେକ ସ୍ତରରେ ଆଲୋଚନା ହୋଇଛି ।
ବାୟୁସେନା ହେବ ମଜବୁତ
ଭାରତୀୟ ବାୟୁସେନାକୁ ପୂରା ଶକ୍ତିଶାଳୀ କରିବା ପାଇଁ ଅତି କମରେ ୪୨.୪ ସ୍କ୍ୱାଡ୍ରନ ରହିବା ଉଚିତ୍ । ମାତ୍ର ଏବେ କେବଳ ଭାରତୀୟ ବାୟୁସେନା ପାଖରେ ୩୧ ସ୍କ୍ୱାଡ୍ରନ ରହିଛି । ଏମିତିରେ ଯଦି ଚୀନ ଓ ପାକିସ୍ତାନ ସହ ଏକ ସଙ୍ଗେ ଯୁଦ୍ଧ ପରି ସ୍ଥିତି ଉପୁଜେ ତେବେ ଭାରତକୁ ମୁସ୍କିଲର ସାମ୍ନା କରିବାକୁ ପଡିପାରେ । ଅନେକ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ବର୍ତ୍ତମାନ ଭାରତୀୟ ବାୟୁସେନାର ସ୍ଥିତି ଏମରଜେନ୍ସି ବୋଲି କହିଛନ୍ତି ।