ଆଫଗାନିସ୍ତାନ: ଶନିବାର ଆଫଗାନିସ୍ତାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୮ । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ୩୬.୧୦ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୧.୨୦ ଡିଗ୍ରୀ ପୂର୍ବ ଦ୍ରାଘିମାରେ ସୃଷ୍ଟି ହୋଇଥିଲା । ଭୂକମ୍ପର ଗଭୀରତା ୧୩୦ କିଲୋମିଟର ଥିଲା। ଭୂକମ୍ପ ଅନୁଭୂତ ହେବା ପରେ ଲୋକମାନେ ଘରୁ ବାହାରି ଆସିଥିଲେ । ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଜୀବନ ବଞ୍ଚାଇବା ପାଇଁ ଲୋକମାନେ ଏଣେତେଣେ ଦୌଡ଼ି ମଧ୍ୟ ପଳାଇଥିଲେ ।
ଜମ୍ମୁ ଓ କାଶ୍ମୀର ଏବଂ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ଭାରତର ଅନେକ ଉତ୍ତରାଞ୍ଚଳରେ ଭୂକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ରିପୋର୍ଟ ଲେଖିଲା ବେଳକୁ, ଭୂକମ୍ପ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଜାତିସଂଘ ମାନବିକ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ପ୍ରାକୃତିକ ବିପର୍ଯୟ ଭୂମିକମ୍ପ, ଭୂସ୍ଖଳନ ଓ ବାତ୍ୟା ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନ ।
ଗତ କିଛି ଦିନ ମଧ୍ୟରେ ଅନେକ ଦେଶରେ ବହୁ ବାର ଭୂକମ୍ପ ଅନୁଭୂତ ହେଉଛି । ଗତ ୨୮ ମାର୍ଚ୍ଚରେ ମିଆଁମାରରେ ଏକ ବଡ଼ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଯାହା ଫଳରେ ବ୍ୟାପକ କ୍ଷୟକ୍ଷତି ହେବା ସହିତ ଲୋକଙ୍କ ମୃତ୍ୟୁ ହୋଇଥିଲା ।