ଦିଲ୍ଲୀ: ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳର ଶକ୍ତି ବିହାରରେ ଚାରି ମହଲା କୋଠା ଭୁଷୁଡିବା ମାମଲାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୨ ଜଣଙ୍କୁ ଭଗ୍ନାବଶେଷରୁ ଉଦ୍ଧାର କରାଯାଇଛି । ସେହିପରି ଆହୁରି କିଛି ଲୋକ ଫସି ରହିଥିବା ଅନୁମାନ କରାଯାଉଛି । ଅପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗଭୀର ଶୋକବ୍ୟକ୍ତ କରିଛନ୍ତି ।
ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏମସିଡି ମେୟର ମହେଶ ଖିଚି ନିଗମ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ସ୍ଥାନୀୟ ବିଧାୟକ ମୋହନ ସିଂହ ବିଷ୍ଟ ଦିଲ୍ଲୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେ କହିଛନ୍ତି ଯେ ବିଧାନସଭାରେ ବେଆଇନ କୋଠା ପ୍ରସଙ୍ଗ ଅନେକ ଥର ଉଠାଯାଇଛି । ଯଦି ଶହ ଶହ ଲୋକ 25 କିମ୍ବା 50 ଗଜର କୋଠାରେ ରହୁଛନ୍ତି, ତେବେ ଏକ ଦୁର୍ଘଟଣା ନିଶ୍ଚିତ ଭାବରେ ଘଟିବ । ଏ ବିଷୟରେ ଦିଲ୍ଲୀର ଉପ ରାଜ୍ୟପାଳ, କମିଶନର ଏବଂ ପୋଲିସ କମିଶନରଙ୍କ ସହ ଆଲୋଚନା କରିବା ସତ୍ୱେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମାମଲାର ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଘଟଣାସ୍ଥଳରେ ଏନଡିଆରଏଫ୍, ପୋଲିସ ଏବଂ ଡଗ୍ ସ୍କ୍ୱାଡ୍ ଦଳ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।