ନୂଆଦିଲ୍ଲୀ: ଓ୍ଵକଫ ସଂଶୋଧନ ଅଧିନିୟମ ୨୦୨୫କୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଶନିବାର କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଯଦି ଆଇନ ତିଆରି କରିବା ସୁପ୍ରିମକୋର୍ଟଙ୍କ କାମ ତେବେ ସଂସଦ ଭବନକୁ ବନ୍ଦ କରି ଦେବା ଉଚିତ୍। ସୁପ୍ରିମକୋର୍ଟରେ ଓ୍ଵକଫ ଆଇନକୁ ନେଇ ଦାଖଲ ଅନେକ ଆବେଦନ ଉପରେ ଶୁଣାଣି ଚାଲିଥିବା ସମୟରେ ଦୁବେ ଏହି ବୟାନ ଦେଇଛନ୍ତି।
ଯାଚିକାକର୍ତ୍ତାଙ୍କ କହିବା କଥା ଏହି ସଂଶୋଧିତ ଆଇନ ଆଧାରରେ ‘ଓ୍ଵକଫ ବାୟ ୟୁଜର’ ପରି ଧାରା ଓ ଅଣ ମୁସଲିମଙ୍କୁ ଓ୍ଵାକଫ ବୋର୍ଡରେ ସାମିଲ କରାଯିବା ପ୍ରାବଧାନ ସମ୍ବିଧାନର ମୌଳିକ ଅଧିକାରର ଉଲ୍ଲଂଘନ କରୁଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଟୁ ସ୍ପଷ୍ଟ ଆଶ୍ଵାସନ ମାଗିଛନ୍ତି। ସରକାର ମଧ୍ୟ ଭରସା ଦେଇଛନ୍ତି ଯେ, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଓ୍ଵକଫ ବୋର୍ଡ କିମ୍ବା ପରିଷଦରେ କୌଣସି ଅଣ ମୁସଲିମଙ୍କୁ ନିଯୁକ୍ତି ଦିଆଯିବ ନାହିଁ। ପ୍ରଥମରୁ ବିଜ୍ଞପ୍ତିତ ଓ୍ଵକଫ ସଂପତ୍ତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏହା ସହିତ ଜିଲ୍ଲା ଅଧିକାରୀଙ୍କୁ ଓ୍ଵକଫ ସଂପତ୍ତିର ସ୍ଥିତିରେ କୌଣସି ପରିବର୍ତ୍ତନ ନ କରିବାକୁ ଆଦେଶ ଦିଆଯାଇଛି।
ଏହା ଉପରେ ସୁପ୍ରିମକୋର୍ଟ ସରକାରଙ୍କୁ ଗୋଟିଏ ସପ୍ତାହ ଭିତରେ ଉତ୍ତର ଓ ଏହା ସଂପର୍କିତ ଦସ୍ତାବିଜ ଦାଖଲ କରିବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ ୫ ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରଧାନ ବିଚାରପତି ସଞ୍ଜୀ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ କେଭି ବିଶ୍ଵନାଥନଙ୍କ ପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ବୁଧବାର ଓ ଗୁରୁବାର ଲଗାତାର ଦୁଇ ଦିନର ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ଓ୍ଵକଫ ଆକ୍ଟର କିଛି ଧାରା ଉପରେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ଅଦାଲତ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ସଂଶୋଧିତ ଆଇନର କିଛି ଧାରା ଉପରେ ଅନ୍ତରୀଣ ରୋକ୍ ଲଗାଇବା ଉପରେ ବିଚାର କରି ପାରନ୍ତି।