ଜୟପୁର: ଲଖନଉ ସୁପର ଜାଏଣ୍ଟଓ ଶନିବାର ରାଜସ୍ଥାନ ରୟାଲ୍ସକୁ ରୋମାଞ୍ଚକର ମ୍ୟାଚରେ ଦୁଇ ରନରେ ହରାଇଛି । ସୱାଇ ମାନସିଂ ଷ୍ଟାଡିୟମରେ ଆଇପିଏଲ୍ ୨୦୨୫ର ୩୬ତମ ମୁକାବିଲାରେ ଲଖଉନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୦ ରନ କରିଥିଲା । ଏହାର ଜବାବରେ ରାଜସ୍ଥାନ ରୟାଲ୍ସ ୫ ୱିକେଟ୍ ବିନିମୟରେ ୧୭୮ ରନ କରି ପାରିଥିଲା । ରାଜସ୍ଥାନକୁ ଶେଷ ଓଭରରେ ଜିତିବା ପାଇଁ ୯ ରନ ଦରକାର ଥିଲା । ମାତ୍ର ଦଳ ୬ ରନ କରି ପାରିଥିଲା । ଆଉ ଜୟସ୍ୱାଲ ଓ ସୂର୍ଯ୍ୟବଂଶୀଙ୍କ ଇନିଂସ ବୃଥା ହୋଇଛି । ଅଭେଶ ଖାନ ଶେଷ ଓଭରରେ ସିମରନ ହେଟମାୟରଙ୍କୁ ଆଉଟ୍ କରି ୯ ରନ ବି ବଞ୍ଚାଇ ଦେଲେ । ଲଖନଉର ଏହା ପଞ୍ଚମ ବିଜୟ ହୋଇଥିବା ବେଳେ ରାଜସ୍ଥାନର ଏହା ଷଷ୍ଠ ପରାଜୟ ।
୧୮୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନକୁ ଦମଦାର ଆରମ୍ଭ ମିଳିଥିଲା । ପଦାର୍ପଣ ମ୍ୟାଚ୍ ଖେଳୁଥିବା ୧୪ ବର୍ଷର ବାଳକ ବୈଭବ ସୂର୍ଯ୍ୟବଂଶୀ ଓ ଯଶସ୍ୱୀ ଜୟସ୍ୱାଲ ଦମଦାର ବ୍ୟାଟିଂ ପ୍ରଥମ ୱିକେଟ୍ରେ ୮୫ ରନ ଯୋଡିଥିଲେ । ବୈଭବ ଦ୍ରୁତ ବ୍ୟାଟିଂ କରି ୨୦ ବଲରୁ ୩୪ ରନ କରିଥିଲେ । ନୀତିଶ ରାଣା ୯ ରନ କରି ପାରିଥିଲେ । ଜୟସ୍ୱାଲ ୫୨ ବଲରୁ ୭୪ ରନର ଇନିଂସ ଖେଳି ଦଳର ସ୍ଥିତି ମଜବୁତ କରିଥିଲେ ।
ହେଲେ ତାଙ୍କ ଆଉଟ୍ ପରେ ରିୟାନ ପରାଗ ୩୯ ରନ ଖେଳି ଆଉଟ୍ ହେବା ଦଳର ରନ ଗତିକୁ ଧିମା କରିଥିଲା । ୩ ଓଭରରେ ଦଳକୁ ଜିତିବା ପାଇଁ ୨୫ ରନ ଦରକାର ଥିଲା । କିନ୍ତୁ ସଠିକ୍ ସମୟରେ ଲଖଉନ ୱିକେଟ୍ ନେଇ ମ୍ୟାଚକୁ ରୋମାଞ୍ଚକର କରିଥିଲା । ଆଉ ଶେଷ ଓଭରରେ ୯ ରନ ବି କରି ପାରି ନ ଥିଲା ରାଜସ୍ଥାନ । ଅଭେଶ ଖାନଙ୍କ ଶାଣିତ ବୋଲିଂ ବଳରେ ମ୍ୟାଚକୁ ୨ ରନରେ ଜିତି ନେଇଛି ଲଖଉନ ।
ଏହା ପୂର୍ବରୁ ଲଖନଉ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲ । ଆଡନ ମାରକ୍ରମ ୬୬ ରନର ଦମଦାର ଇନିଂସ ଖେଳିଥିଲେ । ଆୟୁଷ ବଦୋନି ୫୦ ରନ ଉପଯୋଗୀ ଇନିଂସ ଖେଳିଥିଲେ । ତେବେ ଶେଷ ଆଡକୁ ଅବଦୁଲ ସାମଦ ୧୦ ବଲରୁ ବିସ୍ଫୋରକ ୩୦ ରନ କରିବାରୁ ଲଖନଉ ୫ ୱିକେଟ୍ ହରାଇ ୧୮୦ ରନ କରିଥିଲା ।