ନୂଆଦିଲ୍ଲୀ: ନିଜ ବୟାନକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହୁଥିବା ଖାନ ସାର ଏକ ପୋଡକାଷ୍ଟରେ ପାକିସ୍ତାନର ନକ୍ସାର ତୁଳନା କୁକୁର ସହ କରିଛନ୍ତି । ଆଉ କହିଛନ୍ତି, ଭାରତର ଏହି ପଡୋଶୀ କୁକୁରଠୁ ମଧ୍ୟ ହୀନ । କୁକୁର ତ ସବୁଠୁ ବିଶ୍ୱସ୍ତ ପ୍ରାଣୀ, ମାତ୍ର ପାକିସ୍ତାନ କଦାପି ବିଶ୍ୱସ୍ତ ନୁହେଁ । ରାଜ ଶମାନୀଙ୍କ ସହ ଏକ ପୋଡକାଷ୍ଟ ସମୟରେ ସେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ରଖିଛନ୍ତି । ସେ ଚୀନ ଓ ପାକିସ୍ତାନ ସହ ଭାରତର ସମ୍ବନ୍ଧଙ୍କୁ ନେଇ ମଧ୍ୟ କହିଛନ୍ତି ।
ଖାନ ସାରଙ୍କୁ ତାଙ୍କର ଏକ ପୁରୁଣା ଭିଡିଓ ବିଷୟରେ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ସେ ପାକିସ୍ତାନର ନକ୍ସାର ତୁଳନା କୁକୁର ସହ କରିଥିଲେ । ଖାନ ସାର କହିଛନ୍ତି, ଉଭୟ ସମାନ ଦେଖା ଯାଉଛନ୍ତି । କୁକୁର ତ ବିଶ୍ୱସ୍ତ ପ୍ରାଣୀ, ମାତ୍ର ପାକିସ୍ତାନ ଉପରେ ଭରସା କରାଯାଇ ପାରିବ ନାହିଁ । ଏହା କୁକୁର ପ୍ରତି ଅପମାନ, କାରଣ ସେ ଦୁନିଆର ସବୁଠୁ ବିଶ୍ୱସ୍ତ ପ୍ରାଣୀ । ପାକିସ୍ତାନ ଏମିତି ଦେଶ ଯେଉଁଠି ମଲାଲାଙ୍କ ଉପରେ ଏଥିପାଇଁ ଆକ୍ରମଣ କରାଗଲା କାରଣ ସେ ଯୁବତୀ ଓ ମହିଳାଙ୍କୁ ପଢିବା ପାଇଁ ଉତ୍ସାହିତ କରିଥିଲେ ।
ଖାନ ସାରଙ୍କୁ ପଚରା ଯାଇଥିଲା ଯେ, ଆପଣଙ୍କୁ ଯଦି ପାକିସ୍ତାନର ପ୍ରଧାନମନ୍ତ୍ରୀ କରାଯାଏ ତେବେ କଣ କରିବେ । ଏହାର ଜବାବରେ ସେ କହିଛନ୍ତି, ପାକିସ୍ତାନ ଏକ ବୁଡୁଥିବା ଜାହାଜ । ମୁଁ ତାକୁ ପୂରା ବୁଡାଇ ଦେବି । ପାକିସ୍ତାନକୁ ସିଧା କରିବାର କୌଣସି ଅନ୍ୟ ରାସ୍ତା ନାହିଁ । ଏହା ଏମିତି ଏକ ଦେଶ ଯାହା କେବେ ଠିକ୍ ହୋଇ ପାରିବ ନାହିଁ ।