ସୁକମା: ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି ଲାଲବାହିନୀର ଦୁର୍ଗ । କେନ୍ଦ୍ର ସରକାରଙ୍କ ଚେତାବନୀ ପରେ ଅସ୍ତ୍ର ଛାଡ଼ି ମୁଖ୍ୟ ସ୍ରୋତକୁ ଫେରୁଛନ୍ତି ମାଓବାଦୀ । ଏହି କ୍ରମରେ ୨୨ ଜଣ ମାଓବାଦୀ ଛତିଶଗଡ଼ ସୁକମା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏ ନେଇ ସୁକମା ଏସପି କିରଣ ଚୌହ୍ୱାନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏସପିଙ୍କ ମୁତାବକ, ୯ ଜଣ ମହିଳା ମାଓବାଦୀଙ୍କ ସମେତ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏଥିରେ ୨ ଜଣ କ୍ୟାଡର ମାଓବାଦୀଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରହିଥିଲା । ସେମାନେ ହେଲେ ପିପୁଲ୍ସ ଲିବେରେସନ୍ ଗରିଲା ଆର୍ମି (ପିଏଲଜିଏ) ଡେପୁଟି କମାଣ୍ଡର ମୁଚାକି ଜଗା (୩୩) ଓ ତାର ସ୍ତ୍ରୀ ମୁଚାକି ଯୋଗୀ (୨୮) । ସେହିପରି କିକିଡ଼ ଦେବେ (୩୦) ଏବଂ ମନୋଜ ଓରଫ୍ ଦୁଧି ବୁଧ୍ରା (୨୮) ନାମରେ ୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଘୋଷଣା ହୋଇଥିଲା । ସମସ୍ତ ମାଓବାଦୀଙ୍କ ବିରୋଧରେ ମୋଟ ୪୦ ଲକ୍ଷ ପୁରସ୍କାର ରାଶି ଥିଲା । ଏମାନେ ଛତିଶଗଡ଼ର ମାଡ଼ ଏବଂ ଓଡ଼ିଶାର ନୂଆପଡ଼ା ଡିଭିଜନରେ ସକ୍ରିୟ ଥିଲେ ।
ଏଥିରେ ଡିଆରଜି, ସିଆରପିଏଫଅ ଏବଂ କୋବ୍ରା ବାଟାଲିୟନଙ୍କ ପ୍ରମୁଖ ଭୂମିକା ରହିଛି । ସମସ୍ତ ମାଓବାଦୀଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା ଆଧାରରେ ସୁବିଧା ସୁଯୋଗ ଯୋଗାଇଦିଆଯିବ । ଦୁର୍ଗମ ଗାଁରେ ବିକାଶ କାର୍ଯ୍ୟକୁ ସହଜ କରିବା ପାଇଁ ରାଜ୍ୟ ସରକାରଙ୍କ 'ନିଆଦ ନେଲାନାର' (ଆପଣଙ୍କର ଭଲ ଗାଁ) ଯୋଜନା ଏବଂ ପୁନର୍ବାସ ନୀତି ଦ୍ୱାରା ସେମାନେ ପ୍ରଭାବିତ ହୋଇଥିବା ଏସପି କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ବର୍ଷ ବସ୍ତର ରେଞ୍ଜରେ ୭୯୨ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଥିଲେ । ଏଥିରେ ସୁକମାକୁ ମିଶାଇ ୭ଟି ଜିଲ୍ଲା ରହିଛି ।