ନୂଆଦିଲ୍ଲୀ: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତହବୁର ରାଣାକୁ ଏନଆଇଏ ଜେରା କରୁଛି । ଏହା ମଧ୍ୟରେ ତହବୁରକୁ ନିଜ ପରିବାରର ଚିନ୍ତା ଘାରିଛି । ୨୬/୧୧ ମୁମ୍ବାଇ ଆକ୍ରମଣର ଷଡଯନ୍ତ୍ରକାରୀ ଏବେ ନିଜ ପରିବାର ସହ କଥା ହେବାକୁ ଦାବି କରିଛି ।
ଏହା ପୂର୍ବରୁ ତହବୁର ରାଣା ଏନଆଇଏର ଅଧିକାରୀଙ୍କୁ ପେନ, ପେପର ଓ କୁରାନ ଦେବାକୁ ଦାବି କରିଥିଲା । ତାର ଏହି ଦାବି ମଧ୍ୟ ପୂରା କରାଯାଇଥିଲା । ଏବେ ରାଣା ତଦନ୍ତକାରୀ ଏଜେନ୍ସିକୁ ନିଜ ଭାଇ ସହ କଥା ହେବା ପ୍ରକ୍ରିୟା ବିଷୟରେ ପଚାରୁଛି । ଏପରିକି ସେ ଆମିଷ ଭୋଜନ ଖାଇବାକୁ ଦାବି କରିଛି । କିନ୍ତୁ ରାଣାକୁ ନିର୍ଦ୍ଧାରିତ ନିୟମ ଅନୁସାରେ ହିଁ ଖାଦ୍ୟ ଦିଆଯାଉଛି ।
ତେବେ ଏନଆଇଏର ସୂଚନା ଅନୁଯାୟୀ, ରିମାଣ୍ଡରେ ଥିବା ତହବୁର ରାଣା ଜେରାରେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁନି । କେବଳ ଏତିକି ନୁହେଁ ତହବୁର ମୁମ୍ବାଇ ଆକ୍ରମଣରେ ନିଜର ସଂପୃକ୍ତି ନ ଥିବା କହି ଚାଲିିଛି ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜେରା ସମୟରେ ତହବୁର ରାଣା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଡେଭିଡ କୋଲମାନ ହେଡଲିକୁ ଦାୟୀ କରିଛି । ସେ ଅଧିକାରୀଙ୍କୁ କହିଛି ଯେ, ଆତଙ୍କୀ ଆକ୍ରମଣରେ ତାର କୌଣସି ଭୂମିକା ନାହିଁ । ଏନଆଇ ପକ୍ଷରୁ ସମୟ ସମୟରେ ରାଣାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ଏବଂ ସେ ସୁସ୍ଥ ଥିବା ଯାଞ୍ଚରୁ ଜଣା ପଡିଛି ।
ସୂଚନାଯୋଗ୍ୟ, ୨୦୦୮ ନଭେମ୍ବର ୨୬ ତାରିଖରେ ମୁମ୍ବାଇର ତାଜ ହୋଟେଲ, ଓବରୟ ଟ୍ରାଇଡେଣ୍ଟ, ଛତ୍ରପତି ଶିବାଜୀ ଟର୍ମିନାଲ ଓ ନରିମମ ହାଉସ ସମେତ ଅନେକ ଜାଗାରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଆକ୍ରମଣ କେବଳ ଭାରତ ନୁହେଁ ପୂରା ଦୁନିଆକୁ ସ୍ତବ୍ଧ କରି ଦେଇଥିଲା । ଏଥିରେ ବିଦେଶୀ ନାଗରିକ ସମେତ ୧୬୬ ଜଣଙ୍କ ମୃତ୍ୟୁ ଘଟିଥିଲା ।