ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମେରଟର ସୌରଭ ହତ୍ୟାକାଣ୍ଡ ମାମଲା ମନରୁ ନ ଲିଭୁନି ପୁଣି ଏକ ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଛି। ମେରଟରେ କିଛି ଦିନ ତଳେ ମୁସ୍କାନ ନିଜ ସ୍ୱାମୀକୁ ହତ୍ୟା କରି ନୀଳ ଡ୍ରମରେ ପ୍ଲାଷ୍ଟର କରିଦେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଥିଲା। ଏବେ ସେହିଭଳି ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି ସେଇ ମେରଟରୁ। ପରିକ୍ରିୟା ପ୍ରୀତି ପାଇଁ ପତ୍ନୀ ସାଜିଲା ପତିହନ୍ତା। ସବୁଦିନ ପାଇଁ ସ୍ୱାମୀକୁ ରାସ୍ତାରୁ ସଫା କରିବାକୁ ପ୍ରେମିକ ସହ ମିଶି କଲା ପ୍ଲାନ। ସ୍ୱାମୀକୁ ମାରିବା ପରେ ଶବ ପାଖରେ ସାପକୁ ଆଣିଛାଡ଼ିଛି ନରହନ୍ତା ପତ୍ନୀ। ଏହି ହତ୍ୟାକାଣ୍ଡର ଖୁଲାସା ଏବେ ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚାଞ୍ଚଲ୍ୟ ଖେଳାଇଛି।
କଣ ଥିଲା ପୂରା ଘଟଣା?
ଉତ୍ତରପ୍ରଦେଶ ମେରଟରେ ଗତ ରବିବାର ଅମିତ କଶ୍ୟପ ନାମକ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତେବେ ପରିବାର ଲୋକେ ତାଙ୍କ ବେଡ ତଳେ ସାପ ଥିବା ଦେଖି ପ୍ରଥମେ ସାପକୁ ବାହାର କରିବା ପରେ ଡାକ୍ତରଖାନା ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ପୋଷ୍ଟବଟର୍ମ ରିପୋର୍ଟରେ ତାଙ୍କ ମୃତ୍ୟୁର କାରଣ ସାପ ନୁହେଁ ବରଂ ଗଳା ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା। ଏହାପରେ ସତ ସାମ୍ନାକୁ ଆସିଲା।
କାହିଁକି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ ?
ରବିତା ଓ ଅମିତ କଶ୍ୟପଙ୍କ ଗତ ୮ ବର୍ଷ ତଳେ ବିବାହ ହୋଇଥିଲା । ଦୁଇ ଜଣଙ୍କ ୩ ସନ୍ତାନ ମଧ୍ୟ ଅଛନ୍ତି । ପୋଲିସ ତଦନ୍ତ ବେଳେ ସାମ୍ନାକୁ ଆସିଛି କି, ଅମିତଙ୍କ ପତ୍ନୀ ରବିତାଙ୍କ ସହ ଅମିତଙ୍କ ସହଯୋଗୀ ଅମରଦୀପଙ୍କ ଅନୈତିକ ସମ୍ପର୍କ ଥିଲା । ପୋଲିସ ଏହା ମଧ୍ୟ କହିଛି ଅମିତ ଓ ଅମରଦୀପ ଟାଇଲ୍ସ ଲଗେଇବା କାମ କରୁଥିଲେ । ଅମରଦୀପ ଅମିତଙ୍କ ଘରକୁ ଯିବା ଆସିବା କରୁଥିଲା । ତେବେ ଏ ସମ୍ପର୍କରେ ସ୍ବାମୀ ଜାଣିବା ପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ଝଗଡାକୁ ନେଇ ଅତିଷ୍ଠ ହୋଇ ପ୍ରେମିକ ଅମରଦୀପ ସହ ମିଶି ସ୍ବାମୀକୁ ହତ୍ୟା କରିବାକୁ ଯୋଜନା କରିଥିଲେ ରବିତା ।
ସ୍ବାମୀକୁ ହତ୍ୟା ପରେ ସାପ ମୁଣ୍ଡରେ ଦୋଷ:
ତେବେ ଗିରଫ ହେବା ପରେ ଦୁଇ ଅଭିଯୁକ୍ତ ପୋଲିସ ନିକଟରେ କହିଛନ୍ତି ହତ୍ୟା ଷଡଯନ୍ତ୍ରର କାହାଣୀ । ରବିତା ପ୍ରେମିକ ଅମରଦୀପ ସହ ମିଶି ମହମୁଦପୁର ସିଖୋଡା ଗାଁରେ ରହୁଥିବା ଏକ ସାପୁଆ କେଳାକୁ ଯୋଗାଯୋଗ କରିଥିଲେ । ସେଠାରୁ ଏକ ସାପକୁ ହଜାର ଟଙ୍କା ଦେଇ କିଣିଥିଲେ । ଘଟଣାଦିନ ଅର୍ଥାତ ରବିବାର ଦିନ ପରିବାର ଲୋକେ ଯେତେବେଳେ ଖାଇକି ଶୋଇପଡିଲେ । ରବିତା ଫୋନ କରି ପ୍ରେମିକକୁ ଡକାଇଥିଲେ । ଦୁହେଁ ମିଶି ଅମିତଙ୍କୁ ହତ୍ୟା କରିଥିଲେ । ଏହା ପରେ କାହାରିକି ଯେମିତି ସନ୍ଦେହ ନ ହେବ ସେଥିପାଇଁ ବେଡ ନିକଟରେ ସାପ ଛାଡିଦେଇଥିଲେ ।
ସତ ଖୋଲିଲା ପୋଷ୍ଟମର୍ଟମ ରିପୋର୍ଟ:
ତେବେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିଥିଲା । ସାପ କାମୁଡିବାରୁ ନୁହେଁ ଅମିତଙ୍କୁ ଗଳା ଚିପି ହତ୍ୟା କରାଯାଇଥିବା ବେବଚ୍ଛେଦ ରିପୋର୍ଟରୁ ଜଣାପଡିଥିଲା । ବେକରେ ଦାଗ ମଧ୍ୟ ରହିଥିଲା ।
ପଚରାଉଚରା ବେଳେ ଧରାପଡିଲା ସତ:
'ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା ପୋଲିସର ଟିମ । ତେବେ ପଚରାଉଚରାରୁ ଜଣାପଡିଥିଲା ପତି-ପତ୍ନୀଙ୍କ ମଧ୍ୟରେ ଗତ କିଛି ଦିନ ଧରି ଝଗଡା ଲାଗି ରହିଥିଲା । ତେବେ ପଚରାଉଚରା ବେଳେ ପତ୍ନୀ ରବିତା ପୋଲିସକୁ ସତ କହିଥିଲେ କିପରି ହତ୍ୟା କରିଥିଲେ ଅମିତଙ୍କୁ । ପୋଲିସ ଏବେ ଦୁହିଁଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି ।