ଉତ୍ତରପ୍ରଦେଶ: ମେରଟର ସୌରଭ ହତ୍ୟାକାଣ୍ଡ ମାମଲାରେ ପ୍ରେମିକ ସହ ମିଶି ସ୍ୱାମୀ ସୌରଭଙ୍କୁ ହତ୍ୟା କରିବା ପରେ ପ୍ଲାଷ୍ଟିକ ଡ୍ରମରେ ପୂରାଇ ସିମେଣ୍ଟ ପ୍ଲାଷ୍ଟର କରିଥିବା ଅଭିଯୁକ୍ତ ମହିଳା ମୁସ୍କାନ ରସ୍ତୋଗୀ ଏବେ ଜେଲରେ ସଜ୍ଜା କାଟୁଛନ୍ତି । ତେବେ ଜେଲରେ ଥିବା ବେଳେ ସେ ଏବେ ଗର୍ଭବତୀ ଅଛନ୍ତି । ତାଙ୍କ ପ୍ରେଗ୍ନେନ୍ସି ଟେଷ୍ଟ ପଜିଟିଭ୍ ଆସିଛି । ମୁସ୍କାନ ଜେଲରେ ଅନେକଥର ବାନ୍ତି କରିବା ପରେ ଜେଲ ପ୍ରଶାସନ ତାଙ୍କ ସ୍ୱାସ୍ଥ୍ୟ ଯାଂଚ କରିଥିଲେ। ତେବେ ରିପୋର୍ଟ ଆସିବା ପରେ ସେ ଏବେ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଛି ।
ମୁସ୍କାନ ଗର୍ଭବତୀ ଥିବା କଥା ସାମ୍ନାକୁ ଆସିବା ପରେ ତାଙ୍କ ଶିଶୁର ପିତା କିଏ ସେନେଇ ପ୍ରଶ୍ନ ଉଠିଛି । କାରଣ ସ୍ୱାମୀ ସୌରଭ ରାଜପୁତ ଏବଂ ପ୍ରେମିକ ସାହିଲଙ୍କ ସହ ସମ୍ପର୍କରେ ଥିଲେ ମୁସ୍କାନ । ପୂର୍ବରୁ ମୁସ୍କାନ ଓ ସୌରଭଙ୍କ ଏକ କନ୍ୟା ସନ୍ତାନ ଥିବା ବେଳେ ଝିଅ ପିହୁ ଏବେ ତାଙ୍କ ଜେଜେମା’ ଅର୍ଥାତ୍ ସୌରଭଙ୍କ ପାଖରେ ମାଙ୍କ ପାଖରେ ରହିଛି ।
ମୁସ୍କାନ ପ୍ରେମିକ ସାହିଲଙ୍କ ସହିତ ମିଶି ସ୍ବାମୀ ସୌରଭଙ୍କୁ ହତ୍ୟା କରିଥିଲେ। ଜେଲକୁ ଆସିବା ପରେ, ମୁସ୍କାନର ପ୍ରାଥମିକ ଡାକ୍ତରୀ ପରୀକ୍ଷା କରାଯାଇଥିଲା। ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ହେଲେ ପରେ ତାଙ୍କର ବାରମ୍ବାର ବାନ୍ତି ହେବାରୁ ଟେଷ୍ଟ କରିବା ପରେ ସେ ଗର୍ଭବତୀ ଥିବା ଜଣାପଡ଼ିଛି ।
ମାର୍ଚ୍ଚ ୩ ରାତିରେ, ଇନ୍ଦିରା ନଗର ନିବାସୀ ସୌରଭଙ୍କୁ ତାଙ୍କ ସ୍ତ୍ରୀ ମୁସ୍କାନ ତାଙ୍କ ପ୍ରେମିକ ସାହିଲ ସହିତ ମିଶି ହତ୍ୟା କରିଥିଲେ। ଉଭୟ ସୌରଭଙ୍କୁ ବେହୋସ କରିଦେଇଥିଲେ ଏବଂ ତାଙ୍କ ଛାତିରେ ଛୁରୀ ଭୁସି ଦେଇଥିଲେ। ହତ୍ୟା ପରେ, ମୃତଦେହକୁ ବାଥରୁମକୁ ନିଆଯାଇ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା। ମାର୍ଚ୍ଚ ୪ରେ ଏକ ନୀଳ ଡ୍ରମ କିଣି ସେଥିରେ ମୃତଦେହ ରଖିଥିଲେ। ସିମେଣ୍ଟ ଏବଂ ବାଲି ମିଶାଇ ଏହାକୁ ପ୍ଲାଷ୍ଟର କରିଦେଇଥିଲେ। ୧୧ ମାର୍ଚ୍ଚରେ, ମୁସ୍କାନ ମନାଲିରେ ସାହିଲଙ୍କ ଜନ୍ମଦିନ ପାଳନ କରିଥିଲେ। ସାହିଲ ଏବଂ ମୁସ୍କାନ ୧୭ ମାର୍ଚ୍ଚ ବିଳମ୍ବିତ ରାତିରେ ମିରୁଟ ଆସିଥିଲେ ଏବଂ ୧୮ ମାର୍ଚ୍ଚରେ ମୁସ୍କାନ ସୌରଭଙ୍କ ହତ୍ୟାର ଖୁଲାସା କରିଥିଲେ।