ବେଙ୍ଗାଲୁରୁ: ପରୀକ୍ଷା କେନ୍ଦ୍ରକୁ ପଇତା ପିନ୍ଧିକି ଜଣେ ବ୍ରାହ୍ମଣ ପରୀକ୍ଷାର୍ଥୀ ଯିବାରୁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । କର୍ଣ୍ଣାଟକର ବିଦର ଏବଂ ଶିବମୋଗା ଜିଲ୍ଲାର ଚାଲିଥିବା ସିଇଟି ପରୀକ୍ଷାରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି ।
ବୃତ୍ତିଗତ ପାଠ୍ୟକ୍ରମରେ ପ୍ରବେଶ ପାଇଁ ଛାତ୍ରଛାତ୍ରୀଙ୍କୁ ଚୟନ କରିବା ପାଇଁ କମନ ଏଣ୍ଟ୍ରାନ୍ସ ଟେଷ୍ଟ (CET) ଅନୁଷ୍ଠିତ ହୁଏ। ଗୁରୁବାର ସକାଳେ ବିଦର ଓ ଶିବମୋଗା ଜିଲ୍ଲାରେ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ଯାଇଥିବାବେଳେ ସେଠାରେ ଯାଞ୍ଚ କରୁଥିବା କମିଟି ତାଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବାରଣ କରିଥିଲେ । ବିଦରରେ ଛାତ୍ର ଜଣକ ବହୁତ ଅନୁରୋଧ କରିଥିଲେ, କିନ୍ତୁ କେହି ଶୁଣି ନ ଥିଲେ । ତାଙ୍କୁ ପଇତା ଓହ୍ଲାଇବାକୁ ବାଧ୍ୟ କରାଯାଇଥିଲା । କର୍ମଚାରୀମାନେ ତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଲେ ନାହିଁ, କାରଣ ସେ ନିଜକୁ କ୍ଷତି ପହଞ୍ଚାଇ ପାରନ୍ତି ବୋଲି କହିଥିଲେ। ଫଳରେ ଛାତ୍ର ଜଣକ ନିରାଶ ହୋଇ ପରୀକ୍ଷା କେନ୍ଦ୍ରରୁ ଫେରି ଆସିଥିଲେ । କିନ୍ତୁ ଗୋଟିଏ ଦିନ ପୂର୍ବରୁ ଉକ୍ତ ଛାତ୍ର ଜଣକ ପଇତା ପିନ୍ଧି ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ପରୀକ୍ଷା ଦେଇଥିଲେ।
ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, ବିଦରରେ ପରୀକ୍ଷା ଦେଇପାରିନଥିବା ଛାତ୍ର ଜଣକ କହିଛନ୍ତି ଯେ କଲେଜ ପରିଚାଳନା ଏବଂ ପୋଲିସ ଭଳି ଦେଖାଯାଉଥିବା ତିନି ଜଣ ବ୍ୟକ୍ତି ମୋତେ ପଇତା କାଢ଼ି ଆସିବାକୁ କହିଥିଲେ। ଏହା ପରେ ହିଁ ମୋତେ ପେପର ଲେଖିବାକୁ ଅନୁମତି ଦିଆଯିବ। ସେହି ସମୟରେ ଅନ୍ୟମାନଙ୍କୁ ଯାଞ୍ଚ କରିବା ପରେ ସାଧାରଣ ଭାବରେ ଅନୁମତି ଦିଆଯାଇଥିଲା। କିନ୍ତୁ ବ୍ରାହ୍ମଣ ସମ୍ପ୍ରଦାୟରେ ପଇତା କାଢ଼ିବା ନିୟମ ନାହିଁ ବୋଲି ସେ ବାରମ୍ବାର କହିଥିଲେ । କିନ୍ତୁ ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ ପେପର ପାଇଁ ଅନୁମତି ଦିଆଯାଇଥିଲା । ଗଣିତ ପେପର ପାଇଁ ଏତେ କଟକଣା କାହିଁକି ବୋଲି ସେ ପଚାରିଛନ୍ତି ।
ଏହି ମାମଲା ସାମ୍ନାକୁ ଆସିବା ପରେ, ବିଦର ଡେପୁଟି କମିଶନର ଶିଳ୍ପା ଶର୍ମା ଏହାର ତଦନ୍ତ କରିଛନ୍ତି । ଉକ୍ତ କେନ୍ଦ୍ରର ମୁଖ୍ୟ ପରୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଶିଳ୍ପା ଶର୍ମା କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଏପରି ପ୍ରସଙ୍ଗର କଡ଼ା ବିରୋଧ କରୁଛି ।ଏପରି ଘଟଣାର ପୁନରାବୃତ୍ତି ନ ହେବ ସେଥିପାଇଁ ସେ କେନ୍ଦ୍ରକୁ କାରଣ ଦର୍ଶାଅ ନୋଟିସ ଜାରି କରିବେ ବୋଲି ବିଦର ଏସପି ଆଶ୍ୱାସନା ଦେଇଛନ୍ତି ।