ଭୁୁବନେଶ୍ୱର: ୱାକଫ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଛି । ଗୋଟିଏ ଗୋଷ୍ଠୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଭିକେ ପାଣ୍ଡିଆନଙ୍କ ସମର୍ଥନରେ ଆଗକୁ ଆସିଛନ୍ତି । ଦଳର ସ୍ଥିତି ବହୁତ ସଙ୍ଗୀନ ହୋଇ ପଡିଛି । ଏହି ପ୍ରସଙ୍ଗରେ ବହୁ ବରିଷ୍ଠ ନେତାଙ୍କ ବୟାନ ଆସିବାରେ ଲାଗିଛି । ଏହି କ୍ରମରେ ବିଜୁ ଯୁବ ଜନତା ଦଳ ନେତା ନୀଳ ମାଧବ ମହାନ୍ତି ବିସ୍ଫୋରକ ବୟାନ ଦେଇଛନ୍ତି । ବିଧେୟକକୁ ସମର୍ଥନ ପଛରେ ମାନସ ମଙ୍ଗରାଜ ଡିଲ୍ କରିଥିବା ସେ କହିଛନ୍ତି ।
ସେ କହିଛନ୍ତି, ସସ୍ମିତ ହେଉଛନ୍ତି ବିନା କଷ୍ଟରେ ଦଳକୁ ଆସିଥିବା ଜଣେ ନେତା । ନବୀନ ପଟ୍ଟନାୟକଙ୍କ ଦୟାରୁ ସେ ସଂସଦୀୟ ଦଳର ନେତା ହୋଇଛନ୍ତି । ବିଜେପି ସପକ୍ଷରେ ଯାଇ ସେ ଭୋଟ୍ ଦେବା ଆମକୁ ଆଶ୍ଚର୍ଯ୍ୟଚକିତ କରିଛି । ଭୋଟିଂ ପରଦିନ ଆମେ ସସ୍ମିତ ପାତ୍ରଙ୍କୁ ଫୋନ କରି ପଚାରିଥିଲୁ । ବିବେକ ଅନୁଯାୟୀ ଭୋଟ୍ ଦେବା ପାଇଁ ମାନସ ମଙ୍ଗରାଜ କହିଥିବା ସେ କହିଥିଲେ । ମାନସ ଓ ସସ୍ମିତଙ୍କୁ ଜୋରଦାର ବିରୋଧ କରିବ ବିଜୁ ଯୁବ ଓ ଛାତ୍ର ସଂଗଠନ । ମାନସ ମଙ୍ଗରାଜ ବିଜେପିର ଦଲାଲ ସାଜିଛନ୍ତି । ମାନସ ଓ ସସ୍ମିତ ବିଜେଡି ଦଳକୁ ନଷ୍ଟ କରିବାକୁ ବସିଛନ୍ତି । ନୀଳ ମାଧବଙ୍କ ଏମିତି ସଙ୍ଗୀନ ଅଭିଯୋଗ ନେଇ ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା ଆସିନି ।
ତେବେ ନବୀନ ନିବାସରେ ବସିଥିବା ବରିଷ୍ଠ ନେତାଙ୍କ ବୈଠକ ଶେଷ ହୋଇଛି । ଜଣେ ପରେ ଜଣେ ନେତା ନବୀନ ନିବାସରୁ ବାହାରିବାରେ ଲାଗିଛନ୍ତି । ଦଳୀୟ ସାଂଗଠନିକକୁ ନେଇ ଏହି ବୈଠକ ବସିଥିବା ଦଳର ଅନେକ ବରିଷ୍ଠ ନେତା କହିଛନ୍ତି । ଅରୁଣ ସାହୁ, ସଞ୍ଜୟ ଦାସ ବର୍ମା, ଦେବୀ ମିଶ୍ରଙ୍କ ପରି ନେତା ୱାକଫ ବିଲକୁ ନେଇ ଦଳରେ ଉଠିଥିବା ଝଡ କଥାକୁ ଏଡାଇ ଦଳୀୟ ସାଂଗଠନିକ ପ୍ରକ୍ରିୟାକୁ ନେଇ ବୈଠକ ହୋଇଥିବା କହିଛନ୍ତି ।