ହାଇଦ୍ରାବାଦ: ଚଳିତ ଆଇପିଏଲ୍ ସିଜିନରେ ସନରାଇଜର୍ସ ହାଇଦ୍ରାବାଦର ପରାଜୟ ଧାରା ଜାରି ରହିଛି । ଆଜି ନିଜ ଘରୋଇ ମଇଦାନରେ ଖେଳା ଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଗୁଜରାଟ ଟାଇଟନ୍ସ ୭ ୱିକେଟରେ ହରାଇଛି । ଗୁଜରାଟ ନିଜର ଚତୁର୍ଥ ମ୍ୟାଚରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବେଳେ ହାଇଦ୍ରାବାଦ ଲଗାତାର ଚତୁର୍ଥ ପରାଜୟ ଭୋଗିଛି । ପଏଣ୍ଟ ଟେବୁଲରେ ଗୁଜରାଟ ୬ ପଏଣ୍ଟ ସହ ଦ୍ୱିତୀୟକୁ ଉଠିଛି । ହାଇଦ୍ରାବାଦର ସ୍ଥିତି ଆହୁରି ଦୟନୀୟ ହୋଇ ଦଳ ସର୍ବନିମ୍ନ ସ୍ଥାନରେ ରହିଛି । ଆଉ ଗୁଜରାଟ ବିଜୟରେ ହିରୋ ସାଜିଛନ୍ତି ମହମ୍ମଦ ସିରାଜ ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଆଜିର ମ୍ୟାଚରେ ନା ବୋଲିଂ ନା ବ୍ୟାଟିଂ କୌଣସି ବିଭାଗରେ ଆଶାନୁରୂପ ପ୍ରଦର୍ଶନ କରି ପାରି ନ ଥିଲା । ମହମ୍ମଦ ସିରାଜଙ୍କ ଘାତକ ବୋଲିଂର ମୁକାବିଲା କରି ପାରି ନ ଥିଲେ ହାଇଦ୍ରାବାଦ । ଦଳର କୌଣସି ବ୍ୟାଟର ଅର୍ଦ୍ଧଶତକ ବି ହାସଲ କରି ପାରି ନ ଥିଲେ । ନୀତିଶ ରେଡ୍ଡୀ ସର୍ବାଧିକ ୩୧ ରନ ଓ ହେନରିକ କ୍ଲାସେନ ୨୭ ରନ କରିଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇବାରୁ ୧୫୨ ରନ କରି ପାରିଥିଲା । ଅଧିନାୟକ ପାଟ୍ କମିନ୍ସ ୯ ବଲରୁ ୨୨ ରନର ଅପରାଜିତ ଇନିଂସ ଖେଳିଥିଲେ । ବୋଲିଂରେ ଗୁଜରାଟ ପକ୍ଷରୁ ମହମ୍ମଦ ସିରାଜ ୧୭ ରନ ଦେଇ ୪ ସଫଳତା ହାସଲ କରିଥିଲେ ।
ଜବାବରେ ଗୁଜରାଟର ଆରମ୍ଭ ମଧ୍ୟ ନିରାଶଜନକ ଥିଲା । ଦଳ ୧୬ ରନ ଭିତରେ ଦୁଇଟି ୱିକେଟ୍ ହରାଇଥିଲା । ସାଇ ସୁଦର୍ଶନ ୫ ରନ କରିଥିବା ବେଳେ ଜୋସ୍ ବଟଲର ଖାତା ଖୋଲି ପାରି ନ ଥିଲେ । ଏହା ପରେ ଅଧିନାୟକ ଶୁଭମନ ଗିଲ୍ ଓ ୱାଶିଂଟନ ସୁନ୍ଦର ଇନିଂସ ସମ୍ଭାଳିଥିଲେ । ବିଶେଷ କରି ସୁନ୍ଦର ବିସ୍ଫୋରକ ବ୍ୟାଟିଂ କରି ଦଳ ଉପରୁ ଚାପ ହରାଇ ଦଳର ସ୍ଥିତି ମଜବୁତ କରିଥିଲେ । ଦୁଇ ବ୍ୟାଟର ତୃତୀୟ ୱିକେଟ ପାଇଁ ୯୦ ରନ ଯୋଡି ବିଜୟ ସୁନିଶ୍ଚିତ କରିଥିଲେ । ସୁନ୍ଦର ୨୯ ବଲରୁ ୪୯ ରନର ବିସ୍ଫୋରକ ଇନିଂସ ଖେଳି ଆଉଟ୍ ହୋଇଥିଲେ । ଗିଲ ୪୩ ବଲରୁ ୬୧ ରନ ଓ ସେରଫନ ସେଫର୍ଡ ମାତ୍ର ୧୬ ବଲରୁ ୩୫ ରନର ଧୂଆଁଧାର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ ।