ନୂଆଦିଲ୍ଲୀ: ରବିବାର ସକାଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆସିଛି ଖୁସିର ଖବର । ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏ ପର୍ଯ୍ୟନ୍ତ ଆଇପିଏଲ୍ ଯାତ୍ରା ନିରାଶଜନକ ରହିଛି । ଦଳ ଏ ପର୍ଯ୍ୟନ୍ତ ୪ଟି ମ୍ୟାଚ୍ ଖେଳି ଗୋଟିଏ ଜିତିଥିବା ବେଳେ ୩ଟି ହାରିଛି । ଦଳ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି । ଦଳକୁ ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତ ବାରି ହୋଇ ପଡୁଛି । ହେଲେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ମୁମ୍ବାଇ ଇଣ୍ଡିଆନ୍ସ ବୁମରା କେବେ ଦଳକୁ ଫେରିବେ ତାର ସଦ୍ୟତମ ସୂଚନା ଦେଇଛି । ଫ୍ରାଞ୍ଚାଇଜ ଏହି ଷ୍ଟାର ଦ୍ରୁତ ବୋଲରଙ୍କ ଦଳ ସହିତ ଯୋଗ ଦେବାର ଏକ ଭିଡିଓ ପୋଷ୍ଟ କରିଛି ।
ଭିଡିଓରେ ଯଶପ୍ରୀତ ବୁମରାଙ୍କ ପତ୍ନୀ ସଞ୍ଜନା ଗଣେଶନ ନିଜର ପୁଅ ଅଙ୍ଗଦଙ୍କୁ ଏକ କାହାଣୀ ଶୁଣାଉଥିବା ଦେଖିବାକୁ ମିଳିଛି । କାହାଣୀରେ ସଞ୍ଜନା ବୁମରାଙ୍କୁ ସିଂହର ଛୁଆ ବୋଲି ବିବେଚନା କରିଛନ୍ତି, ଯିଏ ୨୦୧୩ରେ ଜଙ୍ଗଲ ଅର୍ଥାତ ଆଇପିଏଲ୍ ଖେଳିବାକୁ ଓହ୍ଲାଇଥିଲା । ଯେଉଁଥିରେ ରନର ବର୍ଷା ହୁଏ ଏବଂ ସବୁ ବୋଲର ଡରନ୍ତି । କିନ୍ତୁ ସେ ସାହାସ ଦେଖାଇଲା । ଅନେକ ବର୍ଷ ଧରି ଅନେକ ଲଢେଇ ଲଢିଲା । ମାତ୍ର ସେ ହାର ମାନି ନ ଥିଲା । ଏବେ ସେ ଏହି ଜଙ୍ଗଲର ରାଜା ।
ବୁମରା ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତଥା ପଞ୍ଚମ ମ୍ୟାଚ୍ପରେ କ୍ରିକେଟ୍ରୁ ଦୂରରେ ଅଛନ୍ତି। ତାଙ୍କ ପିଠିର ନିମ୍ନ ଭାଗରେ ସମସ୍ୟା ଦେଖା ଦେଇଥିଲା। ତେଣୁ ବୁମରା ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିଥିଲେ।ମୁମ୍ବାଇ ଇଣ୍ଡିଆନ୍ସ ସହିତ ବିସିସିଆଇର ମେଡିକାଲ୍ ଟିମ୍ ମଧ୍ୟ ସୁନିଶ୍ଚିତ କରିବାକୁ ଚାହୁଁଛନ୍ତି ଯେ, ବୁମରା ସଂପୂର୍ଣ୍ଣ ଫିଟ୍ ସହ ପଡ଼ିଆକୁ ଫେରନ୍ତୁ। ଆଇପିଏଲ ପ୍ରାରମ୍ଭିକ ୪ ମ୍ୟାଚରୁ ବାଦ୍ ପଡିବା ପରେ ଏବେ ବୁମରାଙ୍କୁ ଖେଳିବା ପାଇଁ ବିସିସିଆଇ ପକ୍ଷରୁ ସବୁଜ ସଙ୍କେତ ମିଳିଛି ।