ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସକୁ ନିଜର ଅଧିନାୟକତ୍ୱରେ ୫ ଥର ଚାମ୍ପିଅନ କରାଇଥିବା ଏମଏସ ଧୋନୀ ନିଜର ଖରାପ ଫର୍ମକୁ ନେଇ ପ୍ରଶ୍ନ ଘେରରେ ଅଛନ୍ତି । ଶନିବାର ଅନୁଷ୍ଠିତ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଧୋନୀ ଯେବେ ବ୍ୟାଟିଂ କରିବାକୁ ଆସିଲେ, ସେହି ସମୟରେ ଚେନ୍ନାଇକୁ ଜିତିବା ପାଇଁ ୫୬ ବଲରୁ ୧୧୦ ରନ ଦରକାର ଥିଲା । ପ୍ରଶଂସକ ଆଶା ରଖିଥିଲେ ଯେ, ଧୋନୀ ମ୍ୟାଚ୍ ଫିନିସ କରିବେ । ଏହି ମ୍ୟାଚ୍ ଦେଖିବା ପାଇଁ ତାଙ୍କ ବାପା-ମାଆ ଷ୍ଟାଡିୟମରେ ପହଞ୍ଚିଥିଲେ । ମାତ୍ର ଧୋନୀ ମ୍ୟାଚ୍ ଜିତାଇ ପାରି ନ ଥିଲେ । ବିଜୟ ଶଙ୍କର ଅପରାଜିତ ୬୯ ରନ ଓ ଧୋନୀ ୨୬ ବଲରୁ ମାତ୍ର ୩୦ ରନ କରି ପାରି ଥିଲେ ।
ଏମଏସ ଧୋନୀଙ୍କ ଧିମା ଇନିଂସ କେଉଁଠି ନା କେଉଁଠି ଚେନ୍ନାଇ ପରାଜୟର ମୁଖ୍ୟ କାରଣ ପାଲଟିଛି । ଶେଷ ଓଭରଗୁଡିକରେ ୧୧୫ ଷ୍ଟ୍ରାଇକରେଟରେ ବ୍ୟାଟିଂ କରିବା ଦଳ ପାଇଁ ଉପଯୋଗୀ ନୁହେଁ । ସୋସିଆଲ ମିଡିଆରେ ଧୋନୀଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଆସିବାରେ ଲାଗିଛି । ମାତ୍ର ଧୋନୀଙ୍କ ସହ ଖେଳି ସାରିଥିବା ମନୋଜ ତିୱାରୀ କଠୋର ଶବ୍ଦରେ ଧୋନୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଧୋନୀଙ୍କୁ ୨୦୨୩ରେ ଆଇପିଏଲରୁ ସନ୍ନ୍ୟାସ ନେବାର ଥିଲା । ସେହି ବର୍ଷ ଚେନ୍ନାଇ ଚାମ୍ପିଅନ ହୋଇଥିଲା ଏବଂ ଏହା ହିଁ ଧୋନୀଙ୍କ ପାଇଁ ପ୍ରକୃଷ୍ଠ ସମୟ ଥିଲା ।
କ୍ରିକବଜ ସହ ଆଲୋଚନା କରି ମନୋଜ ତିୱାରୀ କହିଛନ୍ତି, ଯଦି ମୁଁ କଠୋର ଶବ୍ଦ କହି ଦିଏ ତେବେ ମୋତେ କ୍ଷମା କରିବେ । ହୋଇପାରେ ତାଙ୍କ ପ୍ରଶଂସକ ମୋ ଉପରେ କ୍ଷୁବ୍ଧ ହୋଇ ପାରନ୍ତି । ମୋ ଅନୁସାରେ ଧୋନୀଙ୍କ ଅବସର ନେବାର ଉଚିତ୍ ସମୟ ୨୦୨୩ ଥିଲା । ସେହି ବର୍ଷ ଚେନ୍ନାଇ ଚାମ୍ପିଅନ ହୋଇଥିଲା । ମୋତେ ଲାଗୁଛି କ୍ରିକେଟରୁ ସେ ଯେତିକି ମାନ ସମ୍ମାନ ଓ ଇଜ୍ଜତ କମାଇଛନ୍ତି, ତାହା ବର୍ତ୍ତମାନ ସେ କେଉଁଠି ନା କେଉଁଠି ହରାଉଛନ୍ତି । ସେ ଯେଉଁଭଳି ପ୍ରଦର୍ଶନ କରୁଛନ୍ତି ତାହା ପ୍ରଶଂସକ ଦେଖିବାକୁ ଚାହୁଁ ନାହାନ୍ତି । ଗତ ମୟାଚ୍ ପରେ ଚେନ୍ନାଇର ପ୍ରଶଂସକ ଯେଉଁଭଳି ରାସ୍ତାକୁ ଆସି ଇଣ୍ଟରଭ୍ୟୁ ଦେଉଥିଲେ, ସେଥିରୁ ବୁଝିବାକୁ ପଡିବ ଯେ, ଏବେ ଆଉ ତାଙ୍କ ଦ୍ୱାରା ହେବନି ।
ସେ ଏହା ମଧ୍ୟ କହିଛନ୍ତି, ଧୋନୀ ଉଦ୍ୟମ କରୁଛନ୍ତି, ମାତ୍ର କୋଚ୍ ଫ୍ଲେମିଂ କହୁଛନ୍ତି ଧୋନୀ ୧୦ ଓଭର ବ୍ୟାଟିଂ କରି ପାରିବେ ନାହିଁ । ମୁଁ ଏହା ବୁଝୁ ପାରୁନି ଯଦି ଜଣେ ୧୦ ଓଭର ପର୍ଯ୍ୟନ୍ତ ଫିଲ୍ଡିଂ କରି ପାରୁଛି, କିପିଂ କରୁ ପାରୁଛି, ଡ୍ରାଇଭ ମାରି ମାରୁଛି ସେହି ସମୟରେ ଆପଣଙ୍କ ଆଣ୍ଠୁରେ ଯନ୍ତ୍ରଣା ଲାଗୁନି । କିନ୍ତୁ ଯେବେ ଆପଣଙ୍କୁ ବ୍ୟାଟିଂ ପାଇଁ ପଠା ଯାଉଛି, ଯେଉଁଠି ଲୋକେ ଆପଣଙ୍କୁ ଆଶା ରଖୁଛନ୍ତି, ସେହି ସମୟରେ ୧୦ ଓଭରର କଥା କହୁଛନ୍ତି ।