ଆଇପିଏଲ ୨୦୨୪ ର ୨୦ ତମ ମ୍ୟାଚରେ ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ୱାନଖେଡେରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଦିଲ୍ଲୀର ପୂର୍ବ ମ୍ୟାଚରେ ଦିଲ୍ଲୀର ବୋଲିଂ ଆଟାକକୁ କୋଲକାତାର ବ୍ୟାଟ୍ସମ୍ୟାନ ମାନେ ପ୍ରବଳ ମାଡ ମାରିଥିଲେ। ସେହିଭଳି ଦିଲ୍ଲୀର ଅଧିନାୟକ ରିଶବ ପନ୍ତଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ ମଧ୍ୟ କରିନାହାନ୍ତି। ସେହିଭଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ମଧ୍ୟ ନିରାଶଜନକ ପ୍ରଦର୍ଶନ କରିଛି। ଦଳ ଏଭଳି ପରିସ୍ଥିତିରେ ପ୍ରଥମ ବିଜୟ ଲକ୍ଷ୍ୟରେ ରହିଛି।
ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଥିବା ଆଜିର ମ୍ୟାଚ ମୁମ୍ବାଇର ୱାନଖେଡେରେ ଖେଳାଯିବ। ୱାନଖେଡେର ପିଚ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ଭଲ ହୋଇଥାଏ ଯେଉଁଠାରେ ବଡ ସ୍କୋର ଦେଖିବାକୁ ମିଳେ। ଆଇପିଏଲରେ ବର୍ତ୍ତମାନ ପର୍ଯ୍ୟନ୍ତ ୱାନଖେଡେରେ ୧୧୦ ଟି ମ୍ୟାଚ ଖେଳା ଯାଇଛି। ଏଥି ମଧ୍ୟରୁ ପ୍ରଥମେ ବ୍ୟାଟିଂ କରି ୫୦ ଟି ମ୍ୟାଚ ଜିତିଥିବାବେଳେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରି ୬୦ ଟି ମ୍ୟାଚ ଜିତିଛନ୍ତି। ଯାହାର ଅର୍ଥ ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରୁଥିବା ଦଳ ପ୍ରତି ବିଜୟ ହାସଲ କରିବା ସହଜ ହୋଇଥାଏ। ଏହା ସହ ମୁମ୍ବାଇ ନିଜର ପ୍ରଥମ ବିଜୟ ପାଇଁ ଅପେକ୍ଷା କରିଥିବାବେଳେ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ ସୁର୍ୟ କୁମାର ଯାଦବ ଦଳକୁ ଫେରିପାରନ୍ତି ବୋଲି ଆଶା କରାଯାଉଛି। ସୁର୍ୟଙ୍କ ଉପସ୍ଥିତି ଦଳକୁ ମଜବୁତ କରିବା ସହ ପ୍ରଥମ ବିଜୟ ହାସଲ କରିବାରେ ସାହାଯ୍ୟ କରିବ।