ତିନି ଜଣ ନକଲି ପୋଲିସଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ। ଗିରଫ ତିନି ଜଣ ଅଭିଯୁକ୍ତ ସାଧାରଣ ଲୋକଙ୍କୁ ପୋଲିସର ପରିଚୟ ଦେଇ ଲୁଟୁଥିଲେ । ନକଲି ପୋଲିସ ବେଶରେ କଟକର ବାଦାମବାଡ଼ି ଥାନା ଅଞ୍ଚଳରୁ ୨ ଟି ସ୍ଥାନରୁ ସୁନା ଅଳଙ୍କାର ସହ ତିନିଲକ୍ଷ ରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ଏନେଇ ପୁଲିସ ପାଖରେ ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ, ଗତ ୧୯ ତାରିଖ ଦିନ ପିଠାପୁର ମୁନଲାଇଟ ଗଳିରେ ରହୁଥିବା ୱେଷ୍ଟବେଙ୍ଗଲର ଶିବୁ ବିଶ୍ୱାସ ନାମକ ଜଣେ ବ୍ୟକ୍ତି ଆସି ବାଦାମବାଡ଼ି ଥାନାରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ମାନେ ଶିବୁଙ୍କୁ ପୋଲିସର ପରିଚୟ ଦେଇ ତାଙ୍କ ପାଖରୁ କିଛି ଟଙ୍କା ନେଇ ଯାଇଥିଲେ । ଏବଂ ସେହି ଟଙ୍କା ବଦଳରେ ଶିବୁଙ୍କୁ ଅଭିଯୁକ୍ତ ମାନେ କିଛି ନକଲି ସୁନା ଦେଇଥିଲେ ।
ଅଭିଯୋଗ ପରେ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ସ୍ପେଶାଲ ସ୍କ୍ବାଡ୍ ଗଠନ କରାଯାଇ ତିନି ଜଣ ନକଲି ପୋଲିସଙ୍କୁ ଗିରଫ କରାଯାଇଛି । ତିନି ଜଣ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣଙ୍କ ଘର ମଧ୍ୟପ୍ରଦେଶ ଏବଂ ଅନ୍ୟ ଦୁଇ ଜଣଙ୍କ ଘର ମହାରାଷ୍ଟ୍ର ବୋଲି ଜଣା ପଡିଛି । ତଦନ୍ତ କଲା ପରେ ଜଣାପଡିଛି ପୂର୍ବରୁ ଏହି ଅଭିଯୁକ୍ତ ମାନଙ୍କର ଆଗରୁ ବାଦାମବାଡ଼ି, ମଙ୍ଗଳାବାଗ, ପୁରୀଘାଟ ଏବଂ ଲାଲବାଗ ଥାନାରେ ୧୪ ଟି କେସ ରହିଛି।
ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ବାଇକ, ମୋବାଇଲ, ନକଲି ସୁନା ଏବଂ କିଛି ଟଙ୍କା ଜବତ କରିଛି ପୋଲିସ । ଏହି ଗ୍ୟାଙ୍ଗରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ଏବଂ ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସିପି ସ୍ୱସ୍ତିକ ପଣ୍ଡା କହିଛନ୍ତି।