ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ । କାଳବୈଶାଖୀ ବଜ୍ରାଘାତରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ପାତ୍ରପୁର ଗ୍ରାମର ସୀମା ସାହୁ ବୋଲି ଜଣ ପଡିଥିବା ବେଳେ ବଜ୍ରାଘାତରେ ଶଙ୍କର ସାହୁ, ପଦ୍ମା ସାହୁ ଆହତ ହୋଇଛନ୍ତି । ଫସଲ ଅମଳ ପାଇଁ ୩ ଜଣ ନିକଟସ୍ଥ ଜମିକୁ ଯାଇଥିବା ବେଳେ ଅଚାନକ ଘଡଘଡି, ପବନ ସାଙ୍ଗକୁ ପ୍ରବଳ ବର୍ଷା ହୋଇଥିଲା । ଘଟଣା ପରେ ସମସ୍ତଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡ଼ାକ୍ତର ସୀମାଙ୍କୁ ମୃତ ଘୋଷଣା କରିଥିଲେ ।
ସେପଟେ ଗଜପତି ଜିଲ୍ଲା ମୋହନା ଏବଂ ଏହାର ଆଖପାଖ ଅଞ୍ଚଳରେ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା, ପବନ ସହ ବଜ୍ରପାତ ହୋଇଛି । ଫଳରେ ଚନ୍ଦ୍ରଗିରି, ଅଡବା, ମୋହନା ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବିଦ୍ୟୁତ ତାର ଛିଣ୍ଡିଯିବା ସହ ବିଦ୍ୟୁତ ସରବରାହ ବନ୍ଦ ରହିଛି । ଅଡବା ଠାରେ ବିଦ୍ୟୁତ ଖୁଣ୍ଟ ଏବଂ ଗଛ ପଡି ଗଜପତି ସହ କନ୍ଧମାଳ ଜିଲ୍ଲାକୁ ଅଡବା ମଧ୍ୟ ଦେଇ ଯାତାୟତ ଠପ୍ ହୋଇଛି । ଜାତୀୟ ରାଜପଥ ୩୨୬ ଉପରେ ଗଛ ପଡ଼ି ରହିଥିବା ଘଟଣା ସ୍ଥଳରେ ମୋହନା ଅଗ୍ନିଶମ ବିଭାଗର କର୍ମଚାରୀ ଓ ଅଡବା ପୋଲିସର ମିଳିତ ଉଦ୍ୟମରେ ରାସ୍ତା ସଫା କାମ ଜାରି ରହିଛି ।
ଅଧିକ ପଢନ୍ତୁ : ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ କର୍ମଚାରୀ