ତାତି ଏବେ ଧୀରେ ଧୀରେ ବଢୁଛି । ଆହୁରି ମଧ୍ୟ ବଢିବ ।୨୦ ତାରିଖ ବେଳକୁ ପଶ୍ଚିମରୁ ଉପକୂଳ ସବୁ ଜଳୁଥିବ। ଦ୍ବିତୀୟ ପର୍ଯ୍ୟାୟ ଭୋଟବେଳକୁ ବଲାଙ୍ଗୀରରେ ତାପମାତ୍ରା ୪୪-୪୫ ଡିଗ୍ରୀ ସେଲସିୟସ୍ ଛୁଇଁପାରେ। ଭୁବନେଶ୍ଵରରେ ବି ପାରଦ ୪୦ ଟପି ପାରେ।
ଅନୁମାନ କରାଯାଉଛି, ଏକ ଲଘୁଚାପ ବଙ୍ଗୋପସାଗରେ ସୃଷ୍ଟି ହୋଇ ଆସନ୍ତା ୨୫ ତାରିଖରେ ପୂର୍ବ ଭାରତ ଉପକୂଳ ଆଡ଼କୁ ମୁହାଁଇପାରେ। ଏହା ଘନୀଭୂତ ହୋଇ ଅବପାତ ରୂପ ବି ନେଇପାରେ। କେତେକ ମଡେଲ୍ ଦର୍ଶାଉଛି, ଏହାର ଗତି ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ରହିପାରେ। ଇସିଏମଡବ୍ଲ୍ୟୁ ଏଫର ଏଆଇ ଫୋରକାଷ୍ଟ ମଡେଲ୍ର ପ୍ରାକ୍ ଆକଳନ ହେଲା ଏହା ଓଡ଼ିଶା ଉପକୂଳକୁ ମୁହାଁଇପାରେ। ତେବେ ଅଧିକାଂଶ ମଡେଲ୍ ଏଯାବତ୍ ଗତିପଥ ନେଇ କିଛି ସ୍ପଷ୍ଟ ଆକଳନ ଦେଖାଇନାହାନ୍ତି। ସମ୍ଭାବ୍ୟ ପାଣିପାଗ ଚିତ୍ର ଉପରେ ସଭିଙ୍କ ନଜର ରହିଛି ।
ଏଭଳି ପୂର୍ବାନୁମାନ ଚାଷୀକୂଳକୁ ଆଶ୍ୱସ୍ତ କରିଛି। କେରଳକୁ ମୌସୁମୀ ଆଗମନର ସଭାବିକ ସମୟ ଜୁନ୍ ୧। ଗତବର୍ଷ ୮ ଦିନ ବିଳମ୍ବ ହୋଇଥିଲା। ଜୁନ୍ ୮ରେ ମୌସୁମୀ କେରଳ ଛୁଇଁଥିଲା । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ୧୯ ତାରିଖବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରର କିଛି ଅଞ୍ଚଳରେ ପ୍ରବେଶ କରିପାରେ।
ପାଣିପାଗ ବିଭାଗ ପୂର୍ବାନୁମାନ ହେଲା, ଆସନ୍ତା ୧୮ ତାରିଖରୁ ପୂର୍ବ ଭାରତରେ ପୁଣି ଗ୍ରୀଷ୍ମ ଲହରୀ ଫେରିବ। ୩ ଦିନରେ ପାରଦ ୨ରୁ ୪ ଡିଗ୍ରୀ ବଢ଼ିଯିବ । ୧୬ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାତି ୪୧ ଡିଗ୍ରୀ ଟପିପାରେ । ନୂଆପଡ଼ା ୪୪ ଡିଗ୍ରୀ ତାତିରେ ଭାଜି ହେବା ଆଶଙ୍କା ରହିଛି। ଭୁବନେଶ୍ୱର ୩୮ ଛୁଇଁପାରେ । ୧୭ରେ ପଶ୍ଚିମର ଅଧିକାଂଶ ଅଞ୍ଚଳରେ ତାତି ୪୨ ଡିଗ୍ରୀ ଡେଇଁପାରେ।
ଅଧିକା ପଢନ୍ତୁ : ଯୌତୁକ ପାଇଁ ଚାଲିଗଲା ନବବଧୂଙ୍କ ଜୀବନ