ଭୁବନେଶ୍ୱର: ବାତ୍ୟା ଦାନା ପାଇଁ କ୍ଷତିପୂରଣ ଦେବା ବାବଦକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ବାତ୍ୟା ପ୍ରଭାବିତଙ୍କୁ କ୍ଷତି ପୂରଣ ପ୍ରଦାନ କରିବେ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପୂଜାରୀ ।
ରାଜସ୍ୱ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରର କ୍ଷତିପୂରଣ ଆସିବା ପୂର୍ବରୁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଦେବେ ପ୍ରଭାବିତଙ୍କୁ କ୍ଷତିପୂରଣ ଦେବେ । କେନ୍ଦ୍ର ସରକାରଙ୍କ କ୍ଷତିପୂରଣ ରାଶି ଆସିଲେ ତାହାକୁ ଭରଣା କରାଯିବ । ବାତ୍ୟା କ୍ଷୟକ୍ଷତିର ଆକଳନ ଚାଲିଛି । ରିପୋର୍ଟ ଦେବାକୁ କୁହାଯାଇଛି । କ୍ଷୟକ୍ଷତିର ସମୀକ୍ଷା କରିବାକୁ କେନ୍ଦ୍ରୀୟ ଟିମ ଆସିବା ପୂର୍ବରୁ ରାଜ୍ୟ ସରକାର ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ରକୁ ଦେବେ ।
କେନ୍ଦ୍ରୀୟ ଟିମ୍ କେବେ ଆସିବେ ସେ ନେଇ କୌଣସି ସୂଚନା ସ୍ପଷ୍ଟ ହୋଇନି । ଦିନେ କିମ୍ବା ଦୁଇ ଦିନ ଭିତରେ ତାହା ସ୍ପଷ୍ଟ ହେବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି ଯେ ସ୍ଵାସ୍ଥ୍ୟ, ଶିକ୍ଷା, ବିଦ୍ୟୁତ ଭିତ୍ତିଭୂମି କ୍ଷୟକ୍ଷତିର କ୍ଷତିପୂରଣ ଦିଆଯିବ । ଠିକ୍ ହିତାଧିକାରୀ ପଲିଥିନ୍ ପାଇଛନ୍ତି ନା ନାହିଁ ଘର ସାମ୍ନାରେ ଫଟୋ ଉଠାଯିବ । ରୋଷେଇ ବ୍ୟବସ୍ଥା ନହେବା ଯାଏଁ ରାସନ ଓ ଚୁଡ଼ା ଗୁଡ଼ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ବାତ୍ୟା ଦାନା ପ୍ରଭାବରେ କୌଣସି ପ୍ରାଣ ହୋଇ ନଥିବାବେଳେ ଏକାଧିକ ଲୋକଙ୍କ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି । ମାତ୍ର ସେହିପରି ସରକାରଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ବିଭିନ୍ନ ଜିଲ୍ଲାରେ ୭୯, ୬୭୧ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । କେନ୍ଦ୍ରାପଡ଼ାର ରାଜକନିକା, ଆଳି, ମହାକାଳପଡ଼ା ବ୍ଲକରେ ସର୍ବାଧିକ କ୍ଷତି ହୋଇଥିବାବେଳେ ସମ୍ପୂର୍ଣ୍ଣ ଜିଲ୍ଲାରେ ୨୩ ହଜାର ହେକ୍ଟର ଚାଷ ଜମି କ୍ଷତି ହୋଇଛି । ସେହିପରି ଭଦ୍ରକ ଜିଲ୍ଲାରେ ୨୪, ୧୧୫ ହେକ୍ଟର ଜମି କ୍ଷତିଗ୍ରସ୍ତ ହୋଇଛି । ସେଥିମଧ୍ୟରୁ ବାସୁଦେବପୁର, ଚାନ୍ଦବାଲି, ଭଣ୍ଡାରିପୋଖରୀ ଏବଂ ଧାମନଗର ବ୍ଲକର ଚାଷୀ ଅଧିକ କ୍ଷତି ସହିଛନ୍ତି । ବାଲେଶ୍ଵରରେ ୩୧୪୦ ହେକ୍ଟର, ମୟୂରଭଂଜରେ ୨୩୮୧ ହେକ୍ଟର, ଯାଜପୁରରେ ୨୭୦୯ ଏବଂ ଜଗତସିଂହପୁରରେ ୨୪୯୮ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।