ଭୁବନେଶ୍ୱର: ରାଜ୍ୟରେ ବସ୍ରେ ଯାତାୟାତ କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ବଡ଼ ଖବର। ଓଡ଼ିଶା ସରକାର ବିଭିନ୍ନ ବର୍ଗର ବସ୍ର ଯାତ୍ରୀ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ବସ୍ଠାରୁ ଆରମ୍ଭ କରି ଏସି ଡିଲକ୍ସ, ସୁପର ପ୍ରିମିୟମ୍ ଓ ସ୍ଲିପର କୋଚ୍ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଭଡ଼ାରେ ପରିବର୍ତ୍ତନ ହୋଇଛି। ଏନେଇ ଗୁରୁବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ନୂଆ ଭଡ଼ା ସମ୍ପର୍କିତ ବିଜ୍ଞପ୍ତି ଜାରି କରାଯାଇଛି। ନୂଆ ଦର ଲାଗୁ ହେବା ପରେ ନିୟମିତ ବସ୍ରେ ଯାତ୍ରା କରୁଥିବା ଲୋକଙ୍କୁ ଏଣିକି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।
ପରିବହନ ବିଭାଗର ନୂଆ ନିଷ୍ପତ୍ତି ଅନୁଯାୟୀ, ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ଭଡ଼ା ୯୨ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୧୮ ପଇସା ହୋଇଛି। ସେହିପରି ଏକ୍ସପ୍ରେସ୍ ବସ୍ରେ ପୂର୍ବରୁ କିଲୋମିଟର ପ୍ରତି ୯୬ ପଇସା ଦେବାକୁ ପଡ଼ୁଥିବାବେଳେ ଏବେ ଏଥିପାଇଁ ୧ ଟଙ୍କା ୨୪ ପଇସା ଗଣିବାକୁ ହେବ। ଏହାସହିତ ବସ୍ ଭଡ଼ା ତାଲିକାରେ ପ୍ରଥମଥର ପାଇଁ ସେମି ଡିଲକ୍ସ ବର୍ଗକୁ ସାମିଲ କରାଯାଇଛି। ଏହି ଶ୍ରେଣୀର ବସ୍ରେ କିଲୋମିଟର ପିଛା ଭଡ଼ା ୧ ଟଙ୍କା ୩୦ ପଇସା ଧାର୍ଯ୍ୟ ହୋଇଛି।
ଅନ୍ୟପଟେ ଡିଲକ୍ସ ବସ୍ର ଭଡ଼ା ମଧ୍ୟ ବଢ଼ାଯାଇଛି। ପୂର୍ବରୁ ଏହି ବସ୍ରେ କିଲୋମିଟର ପିଛା ୧ ଟଙ୍କା ୩୫ ପଇସା ଦେବାକୁ ପଡ଼ୁଥିବାବେଳେ ଏବେ ଏହା ୧ ଟଙ୍କା ୪୧ ପଇସା ହୋଇଛି। ଏସି ଡିଲକ୍ସ ବସ୍ର ଭଡ଼ା ୧ ଟଙ୍କା ୬୩ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୯୯ ପଇସାରେ ପହଞ୍ଚିଛି। ତେଣୁ ଏସି ବସ୍ରେ ଯାତ୍ରା କରୁଥିବା ଲୋକଙ୍କୁ ମଧ୍ୟ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ।
ସେହିପରି ସୁପର ପ୍ରିମିୟମ୍ ବସ୍ରେ ଯାତ୍ରା କରିବା ମଧ୍ୟ ମହଙ୍ଗା ହୋଇଛି। ଏହି ବର୍ଗର ବସ୍ର ଭଡ଼ା କିଲୋମିଟର ପିଛା ୨ ଟଙ୍କା ୫୩ ପଇସାରୁ ବଢ଼ି ୩ ଟଙ୍କା ୨୧ ପଇସା ହୋଇଛି। ଏହାସହିତ ସୁପର ପ୍ରିମିୟମ୍ ଡିଲକ୍ସ ବସ୍ ଓ ସ୍ଲିପର ଏସି କୋଚ୍ ପାଇଁ କିଲୋମିଟର ପ୍ରତି ୪ ଟଙ୍କା ୬୧ ପଇସା ନୂଆ ଭଡ଼ା ଧାର୍ଯ୍ୟ କରାଯାଇଛି।
ବସ୍ ଭଡ଼ା ବୃଦ୍ଧି ପଛରେ ପରିଚାଳନା ଖର୍ଚ୍ଚ ବଢ଼ିବାକୁ ମୁଖ୍ୟ କାରଣ ଭାବେ ଦର୍ଶାଯାଉଛି। ବସ୍ର ରକ୍ଷଣାବେକ୍ଷଣ, ବୀମା, ଯନ୍ତ୍ରାଂଶ କିଣାକିଣି ଓ ଅନ୍ୟାନ୍ୟ ଖର୍ଚ୍ଚ ପୂର୍ବାପେକ୍ଷା ବୃଦ୍ଧି ପାଇଛି। ଏହି କାରଣରୁ ଦୀର୍ଘଦିନ ଧରି ଭଡ଼ା ସଂଶୋଧନ ପାଇଁ ଘରୋଇ ବସ୍ ମାଲିକ ସଂଘ ଦାବି କରିଆସୁଥିଲା। ଏବେ ସେହି ଦାବିକୁ ବିଚାରକୁ ନେଇ ସରକାର ନୂଆ ଭଡ଼ା ଧାର୍ଯ୍ୟ କରିଥିବା ଜଣାପଡ଼ିଛି।
ଏହି ଭଡ଼ା ବୃଦ୍ଧିର ପ୍ରଭାବ କେବଳ ଘରୋଇ ବସ୍ରେ ସୀମିତ ରହିବ ନାହିଁ। ସରକାରୀ ବସ୍ରେ ମଧ୍ୟ ନୂଆ ଦର ଅନୁଯାୟୀ ଯାତ୍ରା ଖର୍ଚ୍ଚ ବଢ଼ିବ। ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଜୁନ୍ ମାସରେ ମଧ୍ୟ ରାଜ୍ୟରେ ବସ୍ ଭଡ଼ା ବୃଦ୍ଧି କରାଯାଇଥିଲା। ଏହାପରେ ପୁଣିଥରେ ଭଡ଼ା ବଢ଼ିବା ଯାତ୍ରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ବିଭିନ୍ନ ବର୍ଗରେ ପ୍ରାୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି ହୋଇଥିବା ଆକଳନ କରାଯାଉଛି। ଏହାର ସିଧାସଳଖ ପ୍ରଭାବ ଦୈନିକ ବସ୍ରେ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ଉପରେ ପଡ଼ିବ। ବିଶେଷକରି ଚାକିରିଆ, ଛାତ୍ରଛାତ୍ରୀ, ଗ୍ରାମାଞ୍ଚଳରୁ ସହରକୁ ଯାଉଥିବା ଲୋକ ଓ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଅଧିକ ଖର୍ଚ୍ଚ ବହନ କରିବାକୁ ପଡ଼ିବ।
ଦରଦାମ୍ ବୃଦ୍ଧି ମଧ୍ୟରେ ଯାତାୟାତ ଖର୍ଚ୍ଚ ଆହୁରି ବଢ଼ିବା ଯୋଗୁଁ ସାଧାରଣ ପରିବାରର ମାସିକ ବଜେଟ୍ ଉପରେ ଚାପ ପଡ଼ିବା ସମ୍ଭାବନା ରହିଛି। ଏହି ନିଷ୍ପତ୍ତିକୁ ନେଇ ଯାତ୍ରୀ ମହଲରେ ଅସନ୍ତୋଷ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି।