ଭଦ୍ରକ: ଚୋରି ମୋବାଇଲ୍ ରାକେଟ୍ର ପର୍ଦ୍ଦାଫାସ୍ କରିବାକୁ ଯାଇଥିଲେ। ହେଲେ ଫେରିବା ବାଟରେ ଜଗିଥିଲା ମୃତ୍ୟୁ। ଲୁହା ବୋଝେଇ ଟ୍ରେଲର ସହ ପୁଲିସ ଭ୍ୟାନ୍ର ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଜୀବନ। ଏହି ଦୁର୍ଘଟଣାରେ ଜଣେ ASIଙ୍କ ସମେତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା।
ମୃତକ ଦୁଇ ପୁଲିସ କର୍ମଚାରୀ ହେଲେ ପ୍ରଶାନ୍ତ ବାଗ (୩୮) ଓ ହିମାଂଶୁ ରାୟ (୩୫)। ସେହିପରି ଆହତଙ୍କ ମଧ୍ୟରେ ASI ଦିବ୍ୟରଞ୍ଜନ ସାହୁ (୩୨), ହୋମଗାର୍ଡ ପ୍ରଶାନ୍ତ ଜେନା ଏବଂ ଭ୍ୟାନ୍ ଚାଳକ ରହିଛନ୍ତି। ସମସ୍ତେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଅସ୍ତରଙ୍ଗରୁ ଏକ ପାଞ୍ଚ ଜଣିଆ ପୁଲିସ ଟିମ୍ ମୋବାଇଲ୍ ଚୋରି ରାକେଟ୍ର ତଦନ୍ତ ପାଇଁ ଭଦ୍ରକ ଜିଲ୍ଲାର ଧାମରା ଯାଇଥିଲେ। ଗୁରୁବାର ବିଳମ୍ବିତ ରାତିରେ ଭଦ୍ରକ-ଧାମରା ରାସ୍ତାର ବିରସ ନିକଟରେ ସେମାନଙ୍କ ଭ୍ୟାନ୍ ସହ ଏକ ଲୁହା ବୋଝେଇ ଟ୍ରେଲରର ମୁହାଁମୁହିଁ ଧକ୍କା ହୋଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ, ଭ୍ୟାନ୍ରେ ଥିବା ସମସ୍ତ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ସେମାନଙ୍କୁ ତୁରନ୍ତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ସେଠାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ଭଦ୍ରକ ଡାକ୍ତରଖାନାରେ ଜଣେ କନଷ୍ଟେବଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ଚାରି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ SCB ମେଡିକାଲକୁ ରେଫର୍ କରାଯାଇଥିଲା। ତେବେ କଟକ ନେବା ବାଟରେ ଆଉ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ତିନି ଜଣ ଏବେ କଟକରେ ଚିକିତ୍ସାଧୀନ ଅଛନ୍ତି। ଏହି ଦୁର୍ଘଟଣାକୁ ନେଇ ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି।