ଭୁବନେଶ୍ବର: ବିଜେଡିର ରାଜ୍ୟସଭା ସାଂସଦ ମୁନ୍ନା ଖାଁଙ୍କ ବୟାନ ଉପରେ ମୁହଁତୋଡ଼ ଜବାବ ଦେଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର। ସେ ବିସ୍ଫୋରକ ବୟାନ ଦେଇ କହିଛନ୍ତି ମୋର ସନ୍ଦେହ ୨୯ ପର୍ଯ୍ୟନ୍ତ ବିଜେଡି ରହିବ ନାହିଁ । ବରିଷ୍ଠ ବିଧାୟକ ଓ ବିଜେଡିର ଆୟୁଷ ବହୁତ କ୍ଷୀଣ । ତେଣୁ ସେ ଦଳର ନେତା ଏବେ ନିଜ ଭବିଷ୍ୟତ ପାଇଁ ଚିନ୍ତାରେ ଅଛନ୍ତି।
ଜୟନାରାୟଣ କହିଛନ୍ତି ବହୁତ ନେତା ବିଜେଡି ଦଳର ସ୍ଥିତିକୁ ଦେଖି ନିଜ ଭବିଷ୍ୟତ ଲାଗି ଚିନ୍ତାରେ ପଡିଛନ୍ତି । ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । କିଏ ଲିଡ୍ କରିବ କିଏ ନେତୃତ୍ୱ ନେବ ଏସବୁ ନେଇ ବିଜେଡି ନେତା ମାନେ ଚିନ୍ତିତ । ବିଜେଡିର ଅସ୍ଥିତ୍ଵ ପ୍ରତି ସନ୍ଦେହ ଜାତ ହେଉଛି ।
କେବଳ ଏତିକି ନୁହେଁ ଜୟନାରାୟଣ କହିଛନ୍ତି, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଆସନ ପାଣ୍ଡିଆନଙ୍କୁ ଲିଜ୍ରେ ଦେଇ ଦେଇଥିଲେ। ସେଥିପାଇଁ ଆଜି ବିଜେଡିର ଏହି ସ୍ଥିତି। ତଥାପି ପାଣ୍ଡିଆନଙ୍କୁ ଛାଡ଼ି ନବୀନ ରହିପାରୁ ନାହାନ୍ତି । ତାଙ୍କ ଭିତରେ କ’ଣ ବାୟୋଲୋଜି ଓ କେମେଷ୍ଟ୍ରି କ’ଣ ଅଛି କେଜାଣି । ଏବେବି ସବୁବେଳେ ନବୀନ ନିବାସରେ ରହୁଛନ୍ତି ଭି.କେ. ପାଣ୍ଡିଆନ ।
ମୁନ୍ନା ଖାଁଙ୍କୁ ବିଜେପିର ବରିଷ୍ଠ ନେତା କହିଛନ୍ତି, ବିଜେଡିର ରାଜ୍ୟସଭା ସାଂସଦ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । କୁଆଡ଼େ ଯିବେ ଚିନ୍ତା କରୁଛନ୍ତି । ତେଣୁ ମୁନ୍ନା କ’ଣ ବା କହିବେ ।୧୪ ଜଣ ଗଲେ ତାଙ୍କର ଟୁ-ଥାର୍ଡ ହେଉଛି କି ? ଯିଏ କହୁଛନ୍ତି ଏମିତି ତାଙ୍କୁ ଗଣିତ ଜଣାନାହିଁ । ଦଳ ବଦଳ ପାଇଁ ଅତି କମ୍ରେ ଟୁ-ଥାର୍ଡ ମେଜରିଟି ହେବା କଥା । ଯିଏ ରାଜନୀତି ଗଣିତ ବୁଝିନାହିଁ ସେ ଏମିତି ସବୁ କୁହନ୍ତି । କ’ଣ ଗୋଟେ କହିବା ପାଇଁ ଏସବୁ ବିଜେଡି ନେତା କହୁଛନ୍ତି ।
ବିଜେଡି ହେଉଛି ଏକ ଦାସତ୍ଵ ପାର୍ଟି । ସେ ଦଳର ନେତା ମାନେ ଜରି ପକାଇବା, ଚେୟାର ବୋହିବା କାମ କରିବା ଲୋକ। ଏବେ ତାହା ନକରି କାହିଁକି ରାଜନୈତିକ ବିବୃତି ଦେଉଛନ୍ତି ବୋଲି ଜୟନାରାୟଣ କହିଛନ୍ତି।
ସୂଚନାଯୋଗ୍ୟ, ମୁନ୍ନା ଖାଁ ନବରଙ୍ଗପୁରରେ ପାର୍ଟିର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଥିଲେ, ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ିଥିବା ୨୨ ନେତା ବିଜେପିରେ ଯୋଗ ଦେଇଥିଲେ । ବିଜେପି ଟିକେଟ୍ ପାଇ ସେମାନେ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍ରେ ଅଛନ୍ତି, ଯାହା ବିଜେଡି କ୍ଷମତାକୁ ଫେରିବାକୁ ରାସ୍ତା ଖୋଲୁଛି । ବିଜେପି ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି । ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ୍ ମିଳିବା ନିଶ୍ଚିତ । କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଏବଂ ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି ।