ଭୁବନେଶ୍ୱର: ଗଂଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ଅଧୀନ ଖଲ୍ଲିକୋଟରେ ବୁଧବାର ସନ୍ଧ୍ୟାରେ ଘଟିଥିବା ନିର୍ବାଚନୀ ହିଂସା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପ୍ରତିକ୍ରିୟା ଦେଇଛନ୍ତି । ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାକୁ ତୀବ୍ର ନିନ୍ଦା କରୁଛି । ଖଲ୍ଲିକୋଟ ଅଞ୍ଚଳରେ ଘଟିଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏଥି ପାଇଁ ମୁଁ ଦୁଃଖିତ । ଏଭଳି ହିଂସା ଘଟଣାର ଆମ ଗଣତନ୍ତ୍ର ଏବଂ ନାଗରିକ ସମାଜରେ କୌଣସି ସ୍ଥାନ ନାହିଁ ।
ନବୀନ କହିଛନ୍ତି, ମୁଁ ଏହି ଘଟଣାକୁ ଦୃଢ଼ ନିନ୍ଦା କରୁଛି । ନିଜ ପ୍ରିୟଜନଙ୍କୁ ହରାଇଥିବା ପୀଡ଼ିତ ପରିବାରଙ୍କୁ ଗଭୀର ସମବେଦନା ଜଣାଉଛି । ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି । ଆଶା କରୁଛି ଯେ ଏହି ଜଘନ୍ୟ ଅପରାଧର ଅପରାଧୀଙ୍କ ବିରୋଧରେ ପୁଲିସ ଦୃଢ଼ ତଥା ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତ । ସେ କହିଛନ୍ତି ରାଜ୍ୟରେ ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବ ନାହିଁ । କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଭାରତ ନିର୍ବାଚନ ଆୟୋଗ ଓ ମୁଖ୍ୟ ଅଧିକାରୀ ଓଡ଼ିଶାଙ୍କର ଶୂନ୍ୟ ସହନଶୀଳା ନୀତି ଅତ୍ୟନ୍ତ ସ୍ପଷ୍ଟ ବୋଲି ସେ ସୂଚିତ କରିବ । ହିଂସା ନିୟନ୍ତ୍ରଣ ପାଇଁ ବିଧି ସମ୍ମତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ, ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ବୁଧବାର ସନ୍ଧ୍ୟାରେ ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏହି ଘଟଣାରେ ୪ ଜଣ ଆହତ ହୋଇଥିଲେ । ପୂର୍ଣ୍ଣଚନ୍ଦ୍ର ପାହାନାଙ୍କ ୩ ପୁଅ ଦିଲୀପ, ଜିତେନ୍ଦ୍ର ଓ ବାପୁଜୀ ଆହତ ହୋଇଥିଲେ । ସେହିପରି ଅଭିମନ୍ୟୁ ପାହାନ ମଧ୍ୟ ଆହତ ହୋଇଥିଲେ । ସମସ୍ତଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଖଲିକୋଟ ମେଡିକାଲରେ ପ୍ରାଥମିକ ଚିକିତ୍ସା କରି ସମସ୍ତଙ୍କୁ ବ୍ରହ୍ମପୁର ଡାକ୍ତରଖାନା ପଠାଯାଇଛି । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କର ଚିକିତ୍ସା ଜାରି ରହିଛି । ତେବେ ହିଂସାକାଣ୍ଡରେ ସଂପୃକ୍ତ ଥିବା ୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଘଟଣାକୁ ନେଇ ପରିବାର ଲୋକ ଓ ବିଜେପି କର୍ମୀ ତୀବ୍ର ବିରୋଧ କରିଛନ୍ତି ।
ଅଧିକ ପଢନ୍ତୁ : ଓଡ଼ିଶାର ଲୋକେ ସକ୍ରିୟ ଓ ସୁସ୍ଥ ସହିତ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତ: ନଡ୍ଡା