ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଭୁବନେଶ୍ୱର ଏକାମ୍ର କ୍ଷେତ୍ରରେ ରୋଡ୍ ଶୋ’ ଅବସରରେ ସେ କହିଛନ୍ତି, ନବୀନ ପଟ୍ଟନାୟକଙ୍କୁ ଲୋକେ ଆରାମ ଦେବାକୁ ଚାହୁଁଛନ୍ତି । ଲୋକେ ସକ୍ରିୟ, ସୁସ୍ଥ ଓ ଅସ୍ମିତା ଜାଣିଥିବା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ।
ଗଣମାଧ୍ୟମର ପ୍ରତିନିଧିଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି, ଏଠି ମାହୋଲ ଅଲଗା ଦେଖାଯାଉଛି । ତେଣୁ ପରିବର୍ତ୍ତନ ନିଶ୍ଚିତ ହେବ । ଓଡ଼ିଶାରେ ଡବଲ ଇଂଜିନ ସରକାର ହେବ । ଓଡ଼ିଶାର ଲୋକେ ଡବଲ ଇଂଜିନ ସରକାର ଗଢ଼ିବାକୁ ଚାହୁଁଛନ୍ତି । ଲୋକସଭାରେ ଏକତରଫା ବିଜୟ ହେବ । ସେହିପରି ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରିବୁ । ବିଜେଡି ହାତରୁ ଗାଡି଼ ପଳାଇଛି । ନିର୍ବାଚନରେ ହିଂସା ହେବା କଥା ନୁହେଁ । ବରଂ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା ଦରକାର ।
ସୂଚନାଯୋଗ୍ୟ, ଜେପି ନଡ୍ଡା ଆଜି ପୂର୍ବାହ୍ଣରେ ରାଜଧାନୀ ଭୁବନେଶ୍ୱରରେ ରୋଡ୍ ଶୋ’ କରିଥିଲେ । ପବିତ୍ର ଏକାମ୍ର କ୍ଷେତ୍ରରେ ଅନୁଷ୍ଠିତ ଏହି ରୋଡ୍ ଶୋ’ ମାଉସୀ ମା' ମନ୍ଦିର ନିକଟ ବାରିକସାହିରୁ ଆରମ୍ଭ ହୋଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଥିଲା । ରୋଡ ଶୋ’ ବେଳେ ନଡ୍ଡାଙ୍କ ଖୋଲା ଜିପ୍ରେ ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାନସଭା ଆସନର ବାବୁ ସିଂ ଥିଲେ । ସେହିପରି ଶତାଧିକ ଦଳୀୟ କର୍ମୀ ଓ ସମର୍ଥକମାନେ ମଧ୍ୟ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରବଳ ଗହଳି ଲଗାଇଥିଲେ ।
ଜେପି ନଡ୍ଡାଙ୍କ ରୋଡ ଶୋ' ପାଇଁ ମଧ୍ୟ ପୁଲସି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିଲା । ଏକାମ୍ର କ୍ଷେତ୍ରରେ ରୋଡ ଶୋ’ ସାରିବା ପରେ ଜେ.ପି. ନଡ୍ଡା ବରଗଡ଼ ଗସ୍ତ କରିଛନ୍ତି । ସେ ପଦ୍ମପୁର ଓ ସୁନ୍ଦରଗଡ଼ରେ ବିଜେପି ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେବେ ।
ଅଧିକ ପଢନ୍ତୁ : ଏକାମ୍ରରେ ଶକ୍ତି ପ୍ରଦର୍ଶନ କଲେ ଜେପି ନଡ୍ଡା, ଲିଙ୍ଗରାଜ ମନ୍ଦିର ଅଭିମୁଖେ ରୋଡ୍ ଶୋ’ ଅଗ୍ରସର