ଲଗାତାର ଦୁଇଟି ମ୍ୟାଚରେ ପରାଜୟ ପରେ ଏକ ବଡ ବିଜୟ ହାସଲ କରିଛି ଚେନ୍ନାଇ । ଏମ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ୭୮ ରନରେ ହାଇଦ୍ରାବାଦକୁ ହରାଇ ସିଜିନର ପଞ୍ଚମ ବିଜୟ ହାସଲ କରିଛି । ଅଧିନାୟକ ରୁତୁରାଜ ଗାଇକୱାଡଙ୍କ ୯୮ ରନର ପାଳି ବଳରେ ମ୍ୟାଚ ଜିତିଛି ଚେନ୍ନାଇ । ଏହା ସହ ଗାଇକୱାଡଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ କରାଯାଇଛି । ତେବେ ଚେନ୍ନାଇର ଘରୋଇ ମୈଦାନରେ ଚେନ୍ନାଇ ସୁପର କିଙ୍ଗସ ୨୧୨ ରନ ସଂଗ୍ରହ କରିଥିଲା । ଅନ୍ୟପକ୍ଷରେ ହାଇଦ୍ରାବାଦ ୧୮.୫ ଓଭରରେ ୧୩୪ ରନ କରି ସମସ୍ତ ୱିକେଟ୍ ହରାଇଥିଲା । ଆଟାକିଙ୍ଗ ବ୍ୟାଟିଂ କରି ଚଳିତ ସିଜିନରେ ଆଇପିଏଲ ଇତିହାସର ସର୍ବାଧିକ ସ୍କୋର କରିଥିବା ସନ ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇର ବୋଲିଂ ଲାଇନ-ଅପ ଆଗରେ ହାର ମାନିଛି । ରୁତୁରାଜ ଗାଇକୱାଡ ଏକ ମହତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲାବେଳେ ମାତ୍ର ୨ ରନରେ ଶତକରୁ ବଞ୍ଚିତ ରହିଥିଲେ । ଡ୍ୟାରିଲ ମିଚିଲ ୫୨ ରନ କରିଥିଲାବେଳେ ଶିବମ ଦୁବେ ୩୯ ରନ ସଂଗ୍ରହ କରିଥିଲେ ।
ଅନ୍ୟପକ୍ଷରେ ପାୱାରପ୍ଲେରେ ଆଟାକିଙ୍ଗ ବ୍ୟାଟିଂ କରୁଥିବା ହାଇଦ୍ରାବାଦ ଗତ ସନ୍ଧ୍ୟାରେ ୩ଟି ୱିକେଟ୍ ହରାଇଥିଲା । ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବା ଫଳରେ ହାଇଦ୍ରାବାଦ ୧୩୪ ରନରେ ସୀମିତ ରହିଥିଲା । ଚେନ୍ନାଇ ପକ୍ଷରୁ ତୁଷାର ଦେଶପାଣ୍ଡେ ୪ଟି ୱିକେଟ୍ ନେଇଥିଲାବେଳେ ମୁସ୍ତଫିଜୁର ରେହମାନ ୨, ମଥିଶା ପଥିରାନା ୨, ରବୀନ୍ଦ୍ର ଜାଡେଜା ଗୋଟିଏ ଏବଂ ସାରଦୁଲ ଠାକୁର ଗୋଟିଏ ୱିକେଟ୍ ନେଇଥିଲେ । ବିଜୟ ସହ ଚେନ୍ନାଇ ୧୦ ପଏଣ୍ଟ ହାସଲ କରିଛି ଏବଂ ପଏଣ୍ଟସ ଟେବୁଲର ତୃତୀୟ ସ୍ଥାନରେ ରହିଛି ।
ଅଧିକ ପଢନ୍ତୁ : ଏକ ଅବିଶ୍ୱସନୀୟ ଶତକ ହାସଲ କରିଛନ୍ତି ୱିଲ ଜ୍ୟାକ୍ସ