ୱିଲ ଜ୍ୟାକ୍ସଙ୍କ ଶତକ ବଳରେ ଏକ ସହଜ ବିଜୟ ହାସଲ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ୨୦୧ ରନର ଲକ୍ଷ୍ୟକୁ ପିଛା କରି ମାତ୍ର ୧୬ ଓଭରରେ ଲକ୍ଷ୍ୟ ହାସଲ କରିଛି । ୪୧ ବଲରେ ଶତକ ହାସଲ କରିବା ସହ ୱିଲ ଜ୍ୟାକ୍ସ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଛନ୍ତି । ୱିଲ ଜ୍ୟାକ୍ସ ୩୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଅର୍ଦ୍ଧଶତକ ହାସଲ କରିବାର ପରବର୍ତ୍ତୀ ୧୦ ଟି ବଲରେ ଶତକରେ ହାସଲ କରିଥିଲେ । ମାତ୍ର ୬ ମିନିଟର ସମୟ ବ୍ୟବଧାନରେ ଏହି ଶତକ ହାସଲ କରିଥିଲେ । ସନ୍ଧ୍ୟା ୬.୪୧ରେ ଅର୍ଦ୍ଧଶତକ ହାସଲ କରିବା ପରେ ୬.୪୭ ରେ ଶତକରେ ପହଞ୍ଚିଥିଲେ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବାବେଳେ ସଂଘର୍ଷ କରୁଥିବା ଜ୍ୟାକ୍ସ ପଛରେ ଛକ୍କା ବର୍ଷା କରି ୨୪ ବଲ ଆଗରୁ ୨୦୧ ରନର ଲକ୍ଷ୍ୟକୁ ହାସଲ କରିଥିଲେ ।
ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ବେଙ୍ଗାଲୁରୁ । ପାୱାରପ୍ଲେରେ ଭଲ ବୋଲିଂ କରି ଦୁଇ ଓପନରଙ୍କୁ କମ ରନରେ ଆଉଟ କରିଥିଲା ବେଙ୍ଗାଲୁରୁ । ସାଇ ସୁଦର୍ଶନ ଅପରାଜିତା ରହି ୪୯ ବଲରେ ୮୪ ରନ ସଂଗ୍ରହ କରିଥିଲେ, ଯେଉଁଥିରେ ୮ଟି ଚୌକା ଓ ୪ଟି ଛକ୍କା ସାମିଲ ଥିଲା । ଶାହରୁଖ ଖାନ ଦ୍ରୁତ ଗତିରେ ବ୍ୟାଟିଂ କରିବା ସହ ୩୦ ବଲରେ ୫୮ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୩ଟି ଚୌକା ଏବଂ ୫ଟି ଛକ୍କା ସାମିଲ ଥିଲା । ଡେଭିଡ ମିଲର ୧୯ ବଲରେ ୨୬ ରନ କରିଥିଲେ । ଏହା ସହ ଦଳୀୟ ସ୍କୋର ୨୦୦ ରନରେ ପହଞ୍ଚିଥିଲା । ସ୍ୱପ୍ନିଳ ସିଂ, ମହମ୍ମଦ ଶିରାଜ ଏବଂ ଗ୍ଲେନ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିବା ବେଙ୍ଗାଲୁରୁ କେବଳ ଗୋଟିଏ ୱିକେଟ୍ ହରାଇ ମ୍ୟାଚ ଜିତିଥିଲା । ପାୱାରପ୍ଲେର ଚତୁର୍ଥ ଓଭରରେ ଫଫ ଡୁ ପ୍ଲେସିସ ୧୨ ବଲରେ ୨୪ ରନ କରି ସାଇ କିଶୋରଙ୍କ ଶିକାର ହୋଇଥିଲେ । ବିରାଟ କୋହଲି ଓ ୱିଲ ଜ୍ୟାକ୍ସ ଅପରାଜିତା ରହି ବେଙ୍ଗାଲୁରୁକୁ ବିଜୟ ଲକ୍ଷ୍ୟ ପାର କରାଇଥିଲେ । ବିରାଟ ୪୪ ବଲରେ ୭୦ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୬ଟି ଚୌକା ଓ ୩ଟି ଛକ୍କା ସାମିଲ ଥିଲା । ୱିଲ ଜ୍ୟାକ୍ସ ୪୧ ବଲରେ ଶତକ କରିଥିଲେ ଯେଉଁଥିରେ ୧୦ଟି ଛକ୍କା ଏବଂ ୫ଟି ଚୌକା ସାମିଲ ଥିଲା ।
ଅଧିକ ପଢନ୍ତୁ : ଟି -୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି ନ୍ୟୁଜିଲ୍ୟାଣ୍ଡ