ପଏଣ୍ଟସ ଟେବୁଲର ଟପ୍ପର ରାଜସ୍ଥାନ ରୟାଲ୍ସ ବିଜୟ ସହ କ୍ୱାଲିଫାୟାର ରେସରେ ମଧ୍ୟ ଶୀର୍ଷରେ ରହିଛି । ୯ ମ୍ୟାଚରୁ ୮ଟି ମ୍ୟାଚରେ ବିଜୟ ହାସଲ କରି ରାଜସ୍ଥାନର ପ୍ଲେ-ଅଫ ପାଇଁ ରାସ୍ତା ସଫା ନଜର ଆସୁଛି । ଅଧିନାୟକ ସଂଜୁ ସାମସନଙ୍କ ଅପରାଜିତା ୭୧ ରନ ବଳରେ ରାଜସ୍ଥାନ ୭ ୱିକେଟ୍ ରେ ଏକ ସହଜ ବିଜୟ ହାସଲ କରିଥିଲା । ଏହା ସହ ସଂଜୁ ସାମସନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରଯାଇଥିଲା । ସଂଜୁଙ୍କ ସହ ଧ୍ରୁବ ଯୁରେଲ ମଧ୍ୟ ଅପରାଜିତ ରହି ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୨୦ ଓଭରରେ ୫ଟି ୱିକେଟ୍ ହରାଇ ୧୯୬ ରନ ସଂଗ୍ରହ କରିଥିଲା । ତେବେ ପ୍ରଥମ ଇନିଂସରେ ଦୁଇଟି ଅର୍ଦ୍ଧଶତକ ଦେଖିବାକୁ ମିଳିଥିଲା । ଅଧିନାୟକ ସଂଜୁ ୪୮ ବଲରେ ୭୬ ରନ ସଂଗ୍ରହ କରିଥିଲେ ଓ ଦୀପକ ହୁଡ଼ା ୩୧ ବଲରେ ୫୦ ରନ ସଂଗ୍ରହ କରିଥିଲେ । ତେବେ ରାଜସ୍ଥାନର ସନ୍ଦୀପ ଶର୍ମା ୨ଟି ୱିକେଟ୍ ନେଇଥିଲାବେଳେ ବୋଲ୍ଟ, ଆଭେଶ ଓ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସରେ ରାଜସ୍ଥାନର ଓପନିଂ ବ୍ୟାଟ୍ସମ୍ୟାନ ଏକ ଭଲ ଆରମ୍ଭ କରି ୬୦ ରନ ସଂଗ୍ରହ କରିଥିଲେ । ୟଶସ୍ଵୀ ୧୮ ବଲରେ ୨୪ ରନ କରିଥିଲାବେଳେ ବଟଲର ୧୮ ବଲରେ ୩୪ ରନ ସଂଗ୍ରହ କରିଥିଲେ । ରିୟାନ ପରାଗ ୧୪ ରନ କରି ୱିକେଟ୍ ହରାଇଥିଲେ । ଏହା ଛଡା ସଂଜୁ ୭୧ ଓ ଧ୍ରୁବ ଯୁରେଲ ୫୨ ରନ ସଂଗ୍ରହ କରିଥିଲେ । ଲକ୍ଷ୍ନୌ ୭ ଟି ବୋଲରଙ୍କୁ ବ୍ୟବହାର କରି ୱିକେଟ୍ ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ମାତ୍ର ୩ ଟି ୱିକେଟ୍ ନେବାରେ ସଫଳ ହୋଇଥିଲେ ।
ଅଧିକ ପଢନ୍ତୁ : ଫ୍ରେଜର ମ୍ୟାକ୍ଗର୍କଙ୍କ ବିସ୍ଫୋଟକ ପାଳି ବଳରେ ବିଜୟୀ ଦିଲ୍ଲୀ