କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଚଳିତ ସିଜିନରେ ପୂର୍ବରୁ କୋଲକାତା ଓ ଦିଲ୍ଲୀ ଭେଟ ହୋଇଥିବାବେଳେ କୋଲକାତା ୧୦୬ ରନରେ ଏକ ବଡ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ କୋଲକାତା ୨୭୩ ରନର ଟାର୍ଗେଟ ଦେଇଥିଲାବେଳେ ଦିଲ୍ଲୀ ୧୬୬ ରନ କରି ଅଲ ଆଉଟ ହୋଇଥିଲା । ତେବେ ଆଜିର ମ୍ୟାଚ ଇଡେନ ଗାର୍ଡେନରେ ଖେଳାଯିବ । ଦିଲ୍ଲୀ ବିଜୟ ହାସଲ କରି ପୂର୍ବ ମ୍ୟାଚର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । ତେବେ ଦିଲ୍ଲୀ ଲଗାତାର ଦୁଇଟି ମ୍ୟାଚରେ ବିଜୟ ସହ ଟ୍ରାକକୁ ଫେରିଛି । ଶେଷ ମ୍ୟାଚରେ ମୁମ୍ବାଇ ଇଂଡିଆନ୍ସକୁ ପରାସ୍ତ କରିଛି ଦିଲ୍ଲୀ ।
ଆଜି ସନ୍ଧ୍ୟା ମ୍ୟାଚ ଇଡେନ ଗାର୍ଡେନରେ ଥିବାବେଳେ ବଡ ସ୍କୋର ଦେଖିବାକୁ ମିଳିବ । ଇଡେନ ଗାର୍ଡେନର ଅନେକ ମ୍ୟାଚରେ ଚୌକା ଓ ଛକ୍କାର ବର୍ଷା ଦେଖିବାକୁ ମିଳେ । କୋଲକାତା ଶେଷ ମ୍ୟାଚରେ ୨୬୧ ରନ କରିଥିଲାବେଳେ ପଞ୍ଜାବ କିଙ୍ଗ୍ସ ୨୬୨ ରନର ଲକ୍ଷ୍ୟକୁ ୧୮.୪ ଓଭରରେ ହାସଲ କରିଥିଲା । କୋଲକାତାର ସୁନୀଲ ନାରୀନ କଡା ଫର୍ମରେ ଥିବାବେଳେ ଦିଲ୍ଲୀର ଫ୍ରେଜର ମ୍ୟାକ୍ଗର୍କ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରୁଥିବାର ଦେଖିବାକୁ ମିଳିଛି । ତେବେ ଆଜି ସନ୍ଧ୍ୟାରେ ଏହି ଦୁଇ ଖେଳାଳିଙ୍କ ଉପରେ ସମସ୍ତଙ୍କର ନଜର ରହିବ ।
ଇଡେନ ଗାର୍ଡେନ୍ସରେ ଏପର୍ଯ୍ୟନ୍ତ ଆଇପିଏଲରେ ମୋଟ ୯୧ ଟି ମ୍ୟାଚ ଖେଳାଯାଇଛି | ଏଥିମଧ୍ୟରୁ ୩୭ ଟି ମ୍ୟାଚ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି ଏବଂ ୫୪ ଟି ମ୍ୟାଚ ଚେଜ କରୁଥିବା ଦଳ ଜିତିଛି। ଏହାର ଅର୍ଥ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ଏହି ଗ୍ରାଉଣ୍ଡରେ ଅଧିକ ପ୍ରଭାବଶାଳୀ ହୋଇଛି । ସେହିପରି ଟସ୍ ଜିତିବା ଦଳ ୪୯ ଥର ମ୍ୟାଚ ଜିତିଛି ଏବଂ ଟସ୍ ହାରିବା ଦଳ ୪୨ ଥର ମ୍ୟାଚ ଜିତିଛି । ସେହିପରି ଇଡେନ ଗାର୍ଡେନରେ ସର୍ବାଧିକ ସ୍କୋର ୨୬୨ ଥିବାବେଳେ ସର୍ବନିମ୍ନ ସ୍କୋର ୪୯ ରନ ।
ଅଧିକ ପଢନ୍ତୁ : କ୍ୱାଲିଫାୟାର ରେସରେ ଆଗୁଆ ରାଜସ୍ଥାନ ରୟାଲ୍ସ