ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫେବୃଆରୀ ୧୫ରେ ଖେଳାଯିବ ବହୁ ପ୍ରତୀକ୍ଷିତ ହାଇଭୋଲଟେଜ ମ୍ୟାଚ୍ । ଏହି ମୁକାବିଲା ଉପରେ ପୂରା ଦୁନିଆର ନଜର ରହିଛି । କଲୋମ୍ବୋର ଆର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ଦଳ । ଏହି ଗ୍ରାଉଣ୍ଡରେ ମାତ୍ର ଥରୁଟିଏ ଭାରତ ଓ ପାକିସ୍ତାନ ପରସ୍ପର ବିରୋଧରେ ଖେଳିଛନ୍ତି । ଅନ୍ୟ ଟିମ୍ ସହ ଭାରତ ୧୫ ଏବଂ ପାକିସ୍ତାନ ୭ଟି ମ୍ୟାଚ୍ ଖେଳିଛି ।
ଡିଫେଣ୍ଡିଂ ଚାମ୍ପିଅନ ଭାରତ ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ଆମେରିକାକୁ ହରାଇଥିଲା । ଦ୍ୱିତୀୟ ମୁକାବିଲାରେ ନାମିବ୍ୟାକୁ ପରାସ୍ତ କରିଥିଲା । ଅନ୍ୟପଟେ ପାକିସ୍ତାନ ମଧ୍ୟ ନିଜର ପ୍ରଥମ ଦୁଇଟି ମୁକାବିଲା ଜିତିଛି । ଭାରତ ପରି ପାକିସ୍ତାନ ମଧ୍ୟ ପ୍ରଥମ ଥର ଆର ପ୍ରେମଦାସା ଷ୍ଟାଡିୟମରେ ନିଜର ମ୍ୟାଚ୍ ଖେଳିବ ।
ଆର ପ୍ରେମଦାସାରେ କେମିତି ରହିଛି ଭାରତର ଟି-୨୦ ରେକର୍ଡ
କଲୋମ୍ବୋର ଏହି ଗ୍ରାଉଣ୍ଡରେ ଭାରତୀୟ ଦଳ ମୋଟ୍ ୧୫ଟି ଟି-୨୦ ମ୍ୟାଚ୍ ଖେଳିଛି । ଦଳ ଏଥିରୁ ୧୧ଟି ଜିତିଛି । ଏଥିରେ ପାକିସ୍ତାନ ବିପକ୍ଷ ଗୋଟିଏ ମ୍ୟାଚ୍ ମଧ୍ୟ ସାମିଲ୍ । ୨୦୧୨ରେ ଖେଳା ଯାଇଥିବା ଏହି ମ୍ୟାଚକୁ ଭାରତ ୮ ୱିକେଟରେ ଜିତି ନେଇଥିଲା । ଏହି ଗ୍ରାଉଣ୍ଡରେ ଭାରତ ୪ ଥର ହାରିଛି । ୩ ଥର ଆୟୋଜକ ଶ୍ରୀଲଙ୍କା ହରାଇଥିବା ବେଳେ ଥରୁଟିଏ ଅଷ୍ଟ୍ରେଲିଆ ହରାଇଛି ।
କେମିତି ପାକିସ୍ତାନର ରେକର୍ଡ
ପାକିସ୍ତାନ କ୍ରିକେଟ୍ ଦଳ ଆର ପ୍ରେମଦାସା ଷ୍ଟାଡିୟମରେ ମୋଟ୍ ୭ଟି ଟି-୨୦ ମ୍ୟାଚ୍ ଖେଳିଛି । ଏଥିରୁ ଦଳ ୫ଟି ଜିତିଥିବା ବେଳେ ୨ଟି ହାରିଛି । ପାକିସ୍ତାନ ଘରୋଇ ଶ୍ରୀଲଙ୍କାକୁ ୩ ଥର ଏବଂ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାକୁ ୧-୧ ହରାଇଛି । ଭାରତ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳି ହାରିଛି ପାକିସ୍ତାନ । ମୋଟାମୋଟି ଭାବେ ଏହି ଷ୍ଟାଡିୟମରେ ଦୁଇ ଦଳର ରେକର୍ଡ ଦମଦାର ରହିଛି ।
Also read: ଭାରତ-ପାକିସ୍ତାନ ଟି୨୦ ବିଶ୍ୱକପ୍ ମ୍ୟାଚ୍ ପୂର୍ବରୁ ବିଜ୍ଞାପନ ବଜାରରେ ଉଷ୍ମତା, ୧୦ ସେକେଣ୍ଡର ମୂଲ୍ୟ କେତେ?